ରୋଜଗାରମେଳା ର ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିନିଧି ଭାବେ ଓଡ଼ିଶାର ୩୮୪ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଆଜି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ସୁଯୋଗ୍ୟ ସନ୍ତାନ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ । ଏହି ପବିତ୍ର ଅବସରରେ ରୋଜଗାରମେଳା ର ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିନିଧି ଭାବେ ଓଡ଼ିଶାର ୩୮୪ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରୋଜଗାର ମେଳାର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଯୁବକମାନେ କାର୍ଯ୍ୟରେ ଯୋଗଦେବା ପାଇଁ ଯିବା ବେଳେ ନିଜର ‘କର୍ତ୍ତବ୍ୟ ପଥ’କୁ ସବୁବେଳେ ମନେ ରଖିବା ଆବଶ୍ୟକ । ଆଜି ଏଠାରେ ଉପସ୍ଥିତ ଯୁବସାଥୀମାନେ ସର୍ବୋପରି ଦାୟିତ୍ୱ ଓ କର୍ତ୍ତବ୍ୟକୁ ପାଥେୟ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ ।

ଶହୀଦ ଲକ୍ଷ୍ମଣ ନାଏକ ଦେଶସେବା ପାଇଁ ବଳିଦାନ ଦେଇଥିଲେ । ଉତ୍କଳ କେଶରୀ ଡା. ହରେକୃଷ୍ଣ ମହତାବ ଆମ ଓଡ଼ିଆ ଜାତିକୁ ନୂଆ ଦିଗଦର୍ଶନ ଦେଇଥିଲେ । ଏହି କାରଣରୁ ଆମେ ସାମ୍ପ୍ରତିକ ସମୟରେ ଉପନୀତ ହୋଇଛେ । ଅର୍ଥାତ୍ ଜଣେ କର୍ତ୍ତବ୍ୟ ନେଲେ ଅନେକ ଲୋକଙ୍କର ଅଧିକାର ସୁରକ୍ଷିତ ରୁହେ ।

ଆଜି ନିଯୁକ୍ତିପତ୍ର ପାଇଥିବା ଯୁବସାଥୀମାନେ ଆସାମ ରାଇଫଲ୍ସ, ଏମ୍ସ ଭୁବନେଶ୍ୱର, ବିଏସଏଫ୍, ସିଆଇଏସଏଫ, ରେଳ, ଇଏସଆଇସି, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ, ଆଇଆଇଟି ଭୁବନେଶ୍ୱର, ଇନକମ ଟ୍ୟାକ୍ସ, ଆଇଟିବିପି, ଡାକ ବିଭାଗ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ସଶସ୍ତ୍ର ସୀମା ବଳ ଓ ବ୍ୟାଙ୍କ ସମୂହରେ କାମ କରିବାର ସୁଯୋଗ ପାଇଛନ୍ତି ।

ଆଜିର ନିଯୁକ୍ତି ମାଧ୍ୟମରେ ୧୩୦ କୋଟି ଭାରତୀୟଙ୍କ ସେବା କରିବା ଭଳି ଗୁରୁ ଦାୟିତ୍ୱ ଯୁବସାଥୀଙ୍କ ହାତରେ ନ୍ୟସ୍ତ କରାଯାଇଛି ।

ଦେଶ ସ୍ୱାଧୀନତାର ୭୫ ବର୍ଷର ଯାତ୍ରା ଅବସରରେ ଆମେ ‘ଅମୃତ ମହୋତ୍ସବ’ ପାଳନ କରୁଛୁ । ଏହି ସମୟରେ ଦେଶ ଓ ରାଜ୍ୟକୁ ଉନ୍ନତି ପଥରେ ଆଗେଇ ନେବା ଏବଂ ଆମର ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିବା ହେଉଛି ଆମର ଗୁରୁ ଦାୟିତ୍ୱ ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ନୂଆ ଶିକ୍ଷା ନୀତି ଲାଗୁ ହୋଇଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ପାଠପଢା ସମେତ କାମ କରିବାର ଅନୁଭବକୁ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କରେ ଯୋଡାଯିବାର ବ୍ୟବସ୍ଥା ହୋଇଛି । ମାତୃଭାଷାକୁ ପ୍ରାଧାନ୍ୟ ସହ ଭାରତୀୟ ଡିଜିଟାଲ ବିଶ୍ୱବିଦ୍ୟାଳୟର କଳ୍ପନା ଆମ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ ।