ଦୁଲୁକୁଛି ରାଇରଙ୍ଗପୁର: ଆଉ କିଛି ଘଣ୍ଟା ପରେ ନିଜ ଜନ୍ମମାଟିରେ ପହଁଚିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା/ରାଇରଙ୍ଗପୁର: ରାଷ୍ଟ୍ରପତି ହେବା ପରେ ନିଜ ଜନ୍ମମାଟିକୁ ପ୍ରଥମ ଥର ପାଇଁ ଆସୁଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ତେବେ ୪ ତାରିଖ ଗୁରୁବାର ପୂର୍ବାହ୍ନ ୧୦.୧୫ରେ ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜର ବାଦାମପାହାଡ଼ରେ ପହଞ୍ଚିବେ । ୧୦.୪୦ରେ ସେ ନିଜ ଜନ୍ମମାଟି ପାହାଡ଼ପୁରରେ ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହାପରେ ସ୍ୱର୍ଗତ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାପରେ ଶ୍ରୀମତୀ ମୁର୍ମୁ ଗୋଷାଣୀ ଯାଇ ସେଠାରେ କମ୍ୟୁନିଟି ସେଣ୍ଟରର ଲୋକାର୍ପଣ କରିବା ସହ ଦକ୍ଷତା ବିକାଶ କେନ୍ଦ୍ରର ମଧ୍ୟ ଲୋକାର୍ପଣ କରିବେ । ଏଥିସହ ସ୍କୁଲ ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୧୨.୪୫ରେ ରାଷ୍ଟ୍ରପତି ବ୍ରହ୍ମକୁମାରୀ ସେଣ୍ଟର ଯିବେ । ଏହାପରେ ନିଶାମୁକ୍ତ ଓଡ଼ିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ । ଅପରାହ୍ନ ୪.୨୫ରେ ମହୁଲଡିହା ବଡବନ୍ଧରେ ୧୦୦ ଫୁଟର ପତାକା ଉତ୍ତୋଳନ କରିବେ । ସନ୍ଧ୍ୟା ୫.୨୦ରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତକୁ ଆଉମାତ୍ର କିଛି ଘଣ୍ଟା ବାକି ଥିବାବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।