ଶ୍ରୀମନ୍ଦିରରେ ସହଜ ଦର୍ଶନ

ପୁରୀ(ଏସ୍ ନ୍ୟୁଜ): ଦିନକର କଟକଣା ପରେ ଆଜିଠୁ ପୁଣି ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତି କରିଛନ୍ତି ଭକ୍ତ। ସେପଟେ ଆଜିଠୁ ପୁରୀକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିର ପ୍ରବେଶ ପାଇଁ ସହଜ ହେବ। ଅର୍ଥାତ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଆଉ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ଶ୍ରୀମନ୍ଦିର ଆଗରେ ଲାଗିଥିବା ଲମ୍ବା ବାରିକେଡ୍ ହଟାଇଛି ପ୍ରଶାସନ। ଜଗନ୍ନାଥବଲ୍ଲଭଠାରୁ ମରିଚିକୋଟ୍ ଯାଏ ବ୍ୟାରିକେଡ୍ ହଟା ଯାଉଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ପି କନଓ୍ବର ବିଶାଲ ସିଂହ ।

ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ଏହି ଲମ୍ବା ବ୍ୟାରିକେଡ୍ ଖୋଲାଯାଇଛି । ଦର୍ଶନ ବେଳେ ଏହି ବାରିକେଡ୍ ବ୍ୟବସ୍ଥା ସମସ୍ୟା ସୃଷ୍ଟି କରୁଥିବା ପ୍ରଶାସନ ନଜରକୁ ଆସିଥିଲା । ଅନ୍ୟପଟେ ଗତକାଲି ରବିବାରରେ ମନ୍ଦିର ବନ୍ଦ ରଖାଯାଇ ସାନିଟାଇଜ୍ କରାଯାଇଛି। ଗତ ୨୧ ତାରିଖରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆବଶ୍ୟକତା ନଥିବାରୁ ଅଧିକ ସଂଖ୍ୟକ ଭକ୍ତ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ।