ସାମ୍ୟବାଦୀ ରଘୁନାଥ ପଣ୍ଡା ସ୍ମୃତି ସଭା ଆୟୋଜିତ

ବ୍ରହ୍ମପୁର: ମୁସ୍ତାଦାର ଜମିଦାରୀ ପ୍ରଥା ବିରୁଦ୍ଧରେ ଲଢେଇ କରିଥିବା କମ୍ୟୁନିଷ୍ଟ ନେତା ତଥା ସ୍ୱାଧୀନତାସଂଗ୍ରାମୀ ସାଥି ରଘୁନାଥ ପଣ୍ଡାଙ୍କ 17ତମ ମୃତ୍ୟୁ ବାର୍ଷିକୀରେ ଆଜି ଏନଜିଓ ହଲଠାରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସାମ୍ୟବାଦୀ ଆନ୍ଦୋଳନରେ ତାଙ୍କ ବଳିଷ୍ଠ ଭୂମିକା ସମ୍ପର୍କରେ ଆଲୋଚନା ହୋଇଛି।

1918ମସିହାରେ ଗଞ୍ଜାମ ଜିଲ୍ଲାର ଆସିକା ନିକଟସ୍ଥ ଗୁଣ୍ଠପଡା ଗ୍ରାମରେ ରଘୁନାଥ ପଣ୍ଡା ଜନ୍ମ ଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ସ୍ୱାଧୀନତା ଆନ୍ଦୋଳନ ଏବଂ ପରବର୍ତ୍ତୀ କାଳରେ ସାମ୍ୟବାଦୀ ଆନ୍ଦୋଳନ ସମୟରେ ସେ ବ୍ରହ୍ମପୁର ଓ ଭଞ୍ଜନଗର କାରାଗାରରେ 7ବର୍ଷ ଧରି ବନ୍ଦୀ ଥିଲେ। ଗଞ୍ଜାମ ଜିଲ୍ଲାର ଚାଷୀମାନେ କୃଷକ ସଭା ଓ କମ୍ୟୁନିଷ୍ଟ ପାର୍ଟିର ନେତୃତ୍ୱରେ ସେ ମୁସ୍ତାଧାରୀ, ଜମିଦାରୀ ପ୍ରଥା ବିରୁଦ୍ଧରେ ଲଢେଇ କରୁଥିଲେ। ମୁସ୍ତାଦାର ଓ ଜମିଦାରଙ୍କ ଦ୍ୱାରା ଚାଷୀମାନେ ଶୋଷିତ ହେଉଥିଲେ। 1948 ମସିହା ମଇ ମାସ 24ତାରିଖରେ ତାକରଡ଼ା ଗ୍ରାମରେ ନିରସ୍ତ୍ର ଚାଷୀମାନଙ୍କ ଉପରକୁ ପୋଲିସ ଗୁଳି ଚଳାଇଲେ । ସେଥିରେ 6 ଜଣ ଶହୀଦ ହେଲେ ଓ ବହୁ ଚାଷୀ ଗୁରୁତର ଭାବେ ଆହତ ହେଲେ। ବହୁ ଚାଷୀଙ୍କ ବିରୁଦ୍ଧରେ ମିଥ୍ୟା ମକଦ୍ଧମା ହେଲା। ତଥାପି ଓଡିଶା ସରକାରଙ୍କ ହଜାରେ ଷଡଯନ୍ତ୍ର ପରେ ବି ଚାଷୀ ଆନ୍ଦୋଳନ ଅଧିକରୁ ଅଧିକ ବ୍ୟାପକ ହେଲା । ଶେଷରେ ତାକରଡ଼ା ଠାରେ ମୁସ୍ତାଦାରୀ ଜମିଦାରୀ ପ୍ରଥା ଲୋପ ହେଲା। ବହୁ ସଂଘର୍ଷ ପ୍ରତିଘାତ ପରେ 2006ମସିହା ଅକ୍ଟୋବର 14ତାରିଖରେ ସେ ମୃତ୍ୟୁ ବରଣ କଲେ।

ସଭାରେ ମୁଖ୍ୟ ବକ୍ତା ଭାବେ ଡ. ବିଷ୍ଣୁ ଚରଣ ଚୌଧୁରୀ, ଗଞ୍ଜାମ ଓକିଲ ସଂଘର ପୂର୍ବତନ ସଭାପତି ଭଗବାନ ସାହୁ,ବାମପନ୍ଥୀ ନେତା କୈଳାଶ ଷଡ଼ଙ୍ଗୀ,ପୂଜ୍ୟ ପୂଜା ସମିତି ସଭାପତି ବଂଶୀଧର ଭୂୟାଁ,ଶିକ୍ଷାବିତ୍ ଦେବୀ ପ୍ରସାଦ ସାହୁ,ଓ଼ମ ଲଫିଙ୍ଗ କ୍ଲବର ସଭାପତି ଦେବରାଜ ଦାଶ,ସାହିତ୍ୟିକ ବଂଶୀଧର ସେଠୀ, ମହିମା ପତ୍ରିକାର ସମ୍ପାଦକ ଶିବ ସୁନ୍ଦର ରଥ, ସିମାଞ୍ଚଳ ପ୍ରଧାନ,ପ୍ରଫୁଲ୍ଲ କୁମାର ମହାପାତ୍ର, ସୁରେନ୍ଦ୍ର ନାଥ ପଣ୍ଡା, ପ୍ରଦୀପ କୁମାର ଶତପଥୀ, ଗଗନ ଚନ୍ଦ୍ର ମଲ୍ଲିକ,ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।