ମନୀଷ ମୃତ୍ୟୁ ମାମଲାରେ ଖୋଲିଲା ଗୁମର

ଭୁବନେଶ୍ୱର: ରାଜ୍ୟର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଜାଣିବାକୁ ଲାଗିପଡିଛି ପୋଲିସ । ତଦନ୍ତ ଯେତେ ଆଗକୁ ଯାଉଛି, ସେତେ ଗୁମରର ଖୁଲାସା ହେଉଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି କାଳ ରାତିର ସତ । ମନୀଷଙ୍କ ମୃତ୍ୟୁ ଦିନ ରାତିରେ ବିଲକୁ ନେଇ ବିବାଦ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ମୁତାବକ, ବାରରେ ୩୫ ହଜାର ଟଙ୍କାର ବିଲ୍ ହୋଇଥିଲା । ଟଙ୍କା କିଏ ଦେବ ତାକୁ ନେଇ ବିବାଦ ହୋଇଥିଲା । ଏହାକୁ ନେଇ ମନୀଷ ଓ ସାଙ୍ଗମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । ଟଙ୍କା ନଦେବାରୁ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ବାର କର୍ମଚାରୀ । ଫଳରେ ମନୀଷ ଘରୁ ଟଙ୍କା ମଗାଇ ବିଲ୍ ଦେଇଥିଲେ । ମୋବାଇଲ ବନ୍ଧକ ରଖିବାକୁ ନେଇ ମନୀଷଙ୍କୁ ବହୁତ ବାଧିଥିଲା । ଫଳରେ ଟଙ୍କା ଦେବା ପରେ ମନୀଷ ଏକା ଏକା ହୋଟେଲରୁ ବାହାରକୁ ଆସିଥିଲେ ବୋଲି ସୂଚନା ମିଳିଛି । ବାରରୁ ବାହାରିବା ପରେ ବି ସାଙ୍ଗମାନଙ୍କ ସହିତ ମନୀଷଙ୍କ ବଚସା ହୋଇଥିଲା । ବିଲ ପେମେଣ୍ଟ ଓ ଅନ୍ୟ କୌଣସି କାରଣରୁ ବଚସା ହୋଇଥିବା ଜଣାପଡିଛି।