ଜାତୀୟ ପତାକା ଉଡ଼ାଇବ ଲଗାଣ ବର୍ଷା

ପବନ ବହିବ ଘଂଟାକୁ ୫୫ କିମି

ବୁଡ଼ାଇବ ଜଳକା, ବୈତରଣୀ, ବ୍ରାହ୍ମଣୀ..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ସାରା ଓଡ଼ିଶାରେ ସ୍ୱାଧୀନତା ଦିବସ ପାଳନ କରିବ ଲଘୁଚାପ ବର୍ଷା ଓ ପବନ । ରବିବାର ସକାଳୁ ସକାଳୁ ଓଡ଼ିଶା ଭିଜିବା ଆରମ୍ଭ କରିବ । ରାତି ସୁଦ୍ଧା ସାରା ଓଡ଼ିଶା ଓଦା ହୋଇଯିବ । ୧୫ ତାରିଖ ସକାଳେ ଜାତୀୟ ପତାକାକୁ ପ୍ରଥମେ ସ୍ୱାଗତ କରିବ ଝଡ଼ବର୍ଷା । ଫଳରେ ମହାନଦୀ, କାଠଯୋଡ଼ି, ବିରୂପା ପ୍ରଭୃତି ନଦୀଗୁଡ଼ିକ ଫୁଲିବ । ତିନିଦିନ ପ୍ରବଳ ବର୍ଷା ଓ ତୁହାକୁ ତୁହା ପବନ ଛୋଟବଡ଼ ନଦୀ, ନାଳ, କେନାଲ ସମେତ ଖାଲୁଆ ଅଂଚଳ ଜଳମଗ୍ନ ହେବ ।

ଲଘୁଚାପ ବର୍ଷା ପୂର୍ବରୁ ବ୍ରାହ୍ମଣୀ, ବୈତରଣୀ, ଜଳକା, ସାଳନ୍ଦୀ, ଲୋୟର ସୁକତେଲ, ଇନ୍ଦ୍ରାବତୀ, ଇବ୍‌, ଋଷିକୁଲ୍ୟା ପ୍ରଭୃତି ନଦୀରେ ବନ୍ୟାଜଳ ବିପଦ ସଂକେତ ନିକଟତର ହୋଇଛି । ଲଘୁଚାପ ବର୍ଷା ପ୍ରଭାବରେ ନଦୀଗୁଡ଼ିକ କୂଳ ଲଙ୍ଘିବା ସୁନିଶ୍ଚିତ । ତେଣୁ ବନ୍ୟା ମୁକାବିଲା ପାଇଁ ରିଲିଫ କମିଶନର ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉପକୂଳ ଓଡ଼ିଶାର ସାତୋଟି ଜିଲ୍ଲାକୁ ରେଡ୍‌ ଆଲର୍ଟ କରାଯାଇଛି । ରେଡ୍‌ ଆଲର୍ଟ ଜିଲ୍ଲାଗୁଡ଼ିକ ହେଲେ ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ଢେଙ୍କାନାଳ । ଅରେଞ୍ଜ ଆଲର୍ଟ କରାଯାଇଥିବା ୧୫ଟି ଜିଲ୍ଲା ହେଉଛି ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ବରଗଡ଼ ।

ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଅନ୍ତର୍ଭୁକ୍ତ କରାଯାଇଛି । ବର୍ଷା ଓ ପବନ ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ୧୬ ତାରିଖ ଯାଏ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ତଳିଆ ଅଂଚଳ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।