ବିଜେଡି-ବିଜେପି ପାଇଁ ଐତିହାସିକ ସେତୁ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ବିଜେପି ନେତା ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇବା ଆଳରେ ରାଜ୍ୟରେ କ୍ଷମତାସୀନ ବିଜେଡି ଜଣାଇ ଦେଇଛି ଯେ ବିଜେଡିର ଯାବତୀୟ ଦୁର୍ନୀତି ଓ ଭ୍ରଷ୍ଟାଚାର କାମରେ ବିଜେପିର ଶହେକୁ ଶହେ ସମର୍ଥନ ରହିଛି । ରାଜ୍ୟର ସାଢେ଼ ଚାରିକୋଟି ଲୋକଙ୍କୁ ଉଭୟ ବିଜେପି ଓ ବିଜେଡି ମିଳିମିଶି ଲୁଟୁଛନ୍ତି ।

୨୦୦୯ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ହାତ ଛାଡ଼ି ଦେଇଛନ୍ତି ବୋଲି ଯାହା ଲୋକମାନେ ଭାବୁଥିଲେ; ତାହା ବାସ୍ତବରେ ସତ ନୁହେଁ । ବିଜେପିର କେନ୍ଦ୍ରୀୟ ନେତାମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିବିଡ଼ ସଂପର୍କ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିବିଡ଼ ସଂପର୍କ ରହିଥିବାରୁ ଉଭୟ ଦଳ ମିଳିମିଶି ପ୍ରତିଟି ଅଳିଆ କାମକୁ ଚତୁରତାର ସହିତ ପରିଚାଳନା କରି ଆସୁଛନ୍ତି ।

ଜଣେ ବିଜେପି ନେତାଙ୍କୁ ରାଜ୍ୟସଭାକୁ ପଠାଇବା ପଛରେ ବିଜେଡିର କି ସ୍ୱାର୍ଥ ଲୁଚି ରହିଛି? ବିଜେପି ନେତାଙ୍କୁ ରାଜ୍ୟସଭାକୁ ପଠାଇ ବିଜେଡି ଇଡି ଓ ସିବିଆଇ ଛାଟରୁ ମୁକୁଳି ଯିବାର ବାଟ ତିଆରି କରିଛି ।

ବିଜେଡିର ଆତ୍ମରକ୍ଷାମୂଳକ ରାଜନୀତିକୁ ଭଲ ଭାବରେ ଅନୁଧ୍ୟାନ କରି ରାଜ୍ୟର ସାଢେ଼ ତିନିକୋଟି ୨୬ ଲକ୍ଷ ଭୋଟର ବିଜେପିର ବିଜେଡି ବିରୋଧୀ ପ୍ରଚାରକୁ ଆଦୌ ବିଶ୍ୱାସ କରନ୍ତୁନି ।

ସତକଥା ହେଉଛି, ରାଜ୍ୟର ସାଢେ଼ ୩ କୋଟି ୨୬ ଲକ୍ଷ ଭୋଟରଙ୍କ ସ୍ୱାର୍ଥ ପ୍ରତି କୌଣସି ରାଜନୈତିକ ଦଳ ଅଙ୍ଗୀକାରବଦ୍ଧ ନୁହନ୍ତି । ଏ ରାଜ୍ୟର ସାଢେ଼ ଚାରିକୋଟି ଜନତାଙ୍କର ଏକମାତ୍ର ଭରସା ପ୍ରଭୁ ଶ୍ରୀଜଗନ୍ନାଥ ।