କାହା ଧନ ଖାଉଛନ୍ତି ମୋଦୀ ସରକାର!

ଭୁବନେଶ୍ୱର: ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ଗଣମାଧ୍ୟମରେ ବିଜ୍ଞାପନ ଆକାରରେ ପ୍ରଚାର କରାଯାଉଛି, ମୋଦୀ ସରକାର ମୁଣ୍ଡ ପିଛା ୫ କିଲୋ ଚାଉଳ ଦେଉଛନ୍ତି । ଏଭଳି ବିଜ୍ଞାପନ ଦେଖି ମୋ ମନରେ ଉଠୁଥିବା ପ୍ରଶ୍ନଟି ହେଉଛି; ମୋଦୀ ସରକାରଙ୍କ ପ୍ରଚାର ପାଇଁ ବିଜେପି ପକେଟକୁ ଧନ ଆସୁଛି କୁଆଡୁ? ମୁଣ୍ଡ ପିଛା ମାଗଣା ଚାଉଳ ଦେବା ବିଷୟଟିକୁ ପ୍ରଚାର କରିପାରୁଛି ।

ଅଥଚ ବିଜେପି ପକେଟକୁ ଟଙ୍କା ଆସିବାର ବାଟଟି ତିଆରି କରିଛନ୍ତି ମୋଦୀ ସରକାର । ଏ ଗୁମର କଥାଟିକୁ ବିଜ୍ଞାପନ ଆକାରରେ ଲୋକଙ୍କୁ ଜଣାଇବା ପାଇଁ ବିଜେପି ଉଚିତ ମଣୁନି କ’ଣ ପାଇଁ?
ପ୍ରତି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି; ଦଳୀୟ କାର୍ଯ୍ୟକ୍ରମ କରିବା ପାଇଁ ବିଜେପି ପକେଟକୁ କୋଟିକୋଟି ଟଙ୍କା ଆସୁଛି କୁଆଡୁ?

ସାଧାରଣ ଖଟିଖିଆ ଲୋକମାନେ କେବେ ହେଲେ ବିଜେପିକୁ ହାତ ଟେକି ଟଙ୍କାଟିଏ ଦେଉ ନାହାନ୍ତି । ତେବେ ବିଜେପି ଖାତାରେ ଗଚ୍ଛିତ ୫୨୭୧ କୋଟି ଟଙ୍କା ଆସିଲା କୁଆଡୁ? ଯୋଉ ଶିଳ୍ପପତି ବା ଉଦାର ବ୍ୟକ୍ତି ବା ଧର୍ମପରାୟଣ ବ୍ୟକ୍ତି ବିଜେପି ପ୍ରତି ଏତେ କୃପା କରୁଛନ୍ତି; ସେମାନେ ନିଶ୍ଚିତ ଭାବେ ମୋଦି ସରକାରଙ୍କ ଅନୁକମ୍ପା ପାଇ ରାଜକୋଷରୁ ଶତାଧିକ କୋଟି ଟଙ୍କା ଆୟ କରୁଥିବେ; ତା’ ନହେଲେ ବିଜେପି ପ୍ରତି ଏତେ ସରାଗ କ’ଣ ପାଇଁ?

ମୋଦୀ ସରକାର ବିଗତ ୧୦ ବର୍ଷ ଭିତରେ ୧୪୦ କୋଟି ଜନତାଙ୍କ ମୁଣ୍ଡ ଉପରେ ୧୫୦ ଲକ୍ଷ କୋଟି ଟଙ୍କାର ଋଣ ଲଦି ଦେଇଛନ୍ତି । ଏ ଖବରଟିକୁ ଟିକେ ସରଳ ଭାଷାରେ ବୁଝାଇ ଦେଉଛୁ; ମୋଦୀ ସରକାର ମୁଣ୍ଡ ପିଛା ୫ କିଲୋ ମାଗଣା ଚାଉଳ ଦେଉଥିବା କଥା ଯେତିକି ସତ; ମୁଣ୍ଡ ପିଛା ୧ ଲକ୍ଷ ଟଙ୍କାର କରଜ ଲଦିବା କଥା ସେତିକି ସତ । ମୋଦୀ ସରକାରଙ୍କ ଏ ପ୍ରଶଂସନୀୟ କାରନାମାକୁ ବିଜେପି ବିଜ୍ଞାପନ ଆକାରରେ ଲୋକଙ୍କୁ ଜଣାଇବା ଦରକାର ନୁହେଁ କି?