ଆଗକୁ ଆହୁରି ବଢ଼ିବ ତାତି

ଭୁବନେଶ୍ୱର (ଏସ୍ ନ୍ୟୁଜ): ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିବା ଆରମ୍ଭ କରିଦେଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦିନର ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅର୍ଥାତ ଆଗାମୀ ଦୁଇ ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ।

ଏ ନେଇ ପାଣିପାଗ ବିଭାଗ ଏପ୍ରିଲ୍ ୨ ତାରିଖ ଯାଏ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହି ୨୦ ଜିଲ୍ଲା ଗୁଡିକ ହେଲେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ଏହି ଜିଲ୍ଲାର ଲୋକମାନଙ୍କୁ ଅଧିକ ସତର୍କ ରହିବାକୁ ପାଣିପାଗ ବିଭାଗ ସୂଚନା ଦେଇଛି।

ସେହିପରି ୩ ତାରିଖରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ। ଏପ୍ରିଲ୍ ୩ରୁ ୪ ତାରିଖ ଭିତରେ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବିଶେଷକରି ଉପକୂଳବର୍ତ୍ତୀ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ରାୟଗଡ଼ା ଓ କୋରାପୁଟରେ ବର୍ଷା ହେବାର ସମ୍ଭାବନା ରହିଛି।