ରାଜାଧାନୀରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଶିକ୍ଷକଙ୍କୁ ଦିଆଯିବ ଟିକା

ଭୁବନେଶ୍ବର(ଏସ୍ ନ୍ୟୁଜ): ଭୁବନେଶ୍ବରରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଶିକ୍ଷକଙ୍କୁ କରୋନା ଟିକା ଦିଆଯିବ। ବିଭିନ୍ନ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ବଢୁଥିବା କରୋନା ସଂକ୍ରମଣକୁ ଧ୍ୟାନ ଦେଇ ଏହି ପଦକ୍ଷେପ ନିଆଯାଇଛି। ଟିକାକରଣ ନେଇ ଭୁବନେଶ୍ବର ମହାନଗର ନିଗମର କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ବିଏମ୍‌ସି କମିସନର କହିଛନ୍ତି ଯେ, କରୋନା ଭାଇରସ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଟେଷ୍ଟିଂ କରାଯାଉଛି। ଏପ୍ରିଲ ୧ରୁ ଟିକାକରଣ କରାଯିବ। ରାଜ୍ୟ ସରକାରଙ୍କ ତରଫରୁ ଦୈନିକ ୬ ହଜାର ଟେଷ୍ଟିଂ ଭୁବନେଶ୍ୱରରେ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଆମେ ୫ଟି ବିଭାଗ ଉପରେ ଅଧିକ ଗୁରୁତ୍ୱ ଦେଉଛୁ। ଷ୍ଟ୍ରିଟ୍‌ ଭେଣ୍ଡର, ସପିଂ ମଲର କର୍ମଚାରୀ, ରେଷ୍ଟୁରାଣ୍ଟର କର୍ମଚାରୀ, ୪୫ରୁ ଅଧିକ ବୟସର ଶିକ୍ଷକ ଏବଂ ଶିକ୍ଷୟତ୍ରୀ, ଇଲେକ୍ଟ୍ରି ସପ୍ଳାଏରଙ୍କୁ ନେଇ ଆମେ ପାଖାପାଖି ୨୦ ହଜାରରୁ ଅଧିକ ଲୋକଙ୍କ ଏକ ତାଲିକା କରିଛୁ। ଆମର ଲକ୍ଷ୍ୟ ବର୍ତ୍ତମାନ ୧ ରୁ ୨ ମାସ ଭିତରେ ସମସ୍ତଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରିବା।