‘ଚୁପ୍‌, ନବୀନ ପଟ୍ଟନାୟକ ମୋ ଭାଇ’

ନବୀନଙ୍କ ଗଡ଼ରେ ଡାକ୍ତର ଓ ନର୍ସ ଭିଡ଼ାଭିଡ଼ି

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଡ଼ରେ ରୋଗୀସେବାକୁ କେନ୍ଦ୍ର କରି ଡାକ୍ତର ଓ ନର୍ସମାନେ ହାତାହାତି ହୋଇଛନ୍ତି । ବ୍ରହ୍ମପୁର ମେଡିକାଲ କଲେଜ ଓ ହସ୍ପିଟାଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପରିସ୍ଥିତିର ଆଶୁ ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଚାଲିଛି । ଡାକ୍ତର ଓ ନର୍ସଙ୍କ ବିବାଦରେ ବଳି ପଡ଼ିଛନ୍ତି ବିଚରା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ । ଦୀର୍ଘ ସମୟ ଧରି ସେବା ନପାଇ ରୋଗୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି ।

ଘଟଣାରୁ ଜଣାପଡ଼ିଛି, ଗୁରୁବାର ରାତିରେ ଜଣେ ରୋଗୀଙ୍କ ଚିକିତ୍ସାକୁ କେନ୍ଦ୍ର କରି ଜଣେ କନିଷ୍ଠ ଡାକ୍ତର ଓ ନର୍ସଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଡାକ୍ତରଙ୍କ ପରାମର୍ଶକୁ ନର୍ସ ଅଣଦେଖା କରିବାରୁ ସଂପୃକ୍ତ ଡାକ୍ତରଜଣକ ରାଗି ଯାଇଥିଲେ । ଡାକ୍ତରଙ୍କ ରାଗକୁ କମାଇବା ପାଇଁ ନର୍ସଜଣକ କହିଥିଲେ, ‘ଚୁପ୍‌, ବେଶି ଫୁଟାଣି ମାରନା । ନବୀନ ପଟ୍ଟନାୟକ ମୋ ଭାଇ । ଏଣୁତେଣୁ ଗପିବୁ, ଗୋଡ଼ରୁ ଚପଲ କାଢ଼ି ପିଟିବି ।’ ନର୍ସଙ୍କ ଏତିକି କଥାରେ କନିଷ୍ଠ ଡାକ୍ତରଜଣକ ସେଠାରୁ ଚାଲି ଯାଇଥିଲେ ।

ଶୁକ୍ରବାର ଉଭୟ ଡାକ୍ତର ଓ ନର୍ସ ଗୋଷ୍ଠୀ ମେଡିକାଲ ଅଧୀକ୍ଷକଙ୍କୁ ଭେଟି ଅଭିଯୋଗ କରିବାକୁ ଯାଇଥିଲେ । ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଦୁଇଗୋଷ୍ଠୀ ହାତାହାତି ହୋଇଗଲେ । ଠେଲାପେଲା ଓ ଭିଡ଼ାଭିଡ଼ି ଭିତରେ ଉଭୟ ଗୋଷ୍ଠୀରୁ କିଛି ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଡାକ୍ତର ଓ ନର୍ସଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା ।

ଏମ୍‌କେସିଜି ହସ୍ପିଟାଲରେ ନର୍ସଙ୍କ ଫୁଟାଣି କାହିଁରେ କ’ଣ? ନର୍ସଙ୍କ ଦୌରାତ୍ମ୍ୟ ଡାକ୍ତରଙ୍କଠାରୁ ବଳେଇଯାଇଛି । ଚଳିତ ଜୁଲାଇ ମାସରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ନର୍ସମାନେ ଭୁଲ ଇଞ୍ଜେକସନ୍‌ ଦେବାରୁ ଡାକ୍ତରଖାନା ପରିଚାଳକଙ୍କୁ ହିନସ୍ତା ଭୋଗିବାକୁ ପଡ଼ିଥିଲା । ପ୍ରାୟ ୨୧ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ଆହୁରି ଦୟନୀୟ ସ୍ଥିତିକୁ ଚାଲି ଯାଇଥିଲା ।

ପରିସ୍ଥିତି ଅଣାୟତ ଅବସ୍ଥାକୁ ଚାଲିଯିବା ପୂର୍ବରୁ ଡାକ୍ତର ଟିମ ଓ ମେଡିକାଲ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଯାଇଥିଲେ । ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ସ୍ୱରୂପ ରୋଗୀମାନେ କ୍ରମେ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲେ । ହସ୍ପିଟାଲ ଅଧୀକ୍ଷକ ସନ୍ତୋଷ ମିଶ୍ର ଗଣମାଧ୍ୟମ ଆଗରେ କର୍ମଚାରୀଙ୍କ ତ୍ରୁଟିକୁ ମାନିବା ସହିତ ଡାକ୍ତରଙ୍କ ଉଦ୍ୟମକୁ ତାରିଫ କରିଥିଲେ ।