IFL‌ ଡକାୟତି ଘଟଣା: ଗିରଫ ଭୟରେ ବାହାଘର ଛାଡ଼ି ଚମ୍ପଟ କର୍ମଚାରୀ, ଫେରିଲା କନ୍ୟା-shaksi news

କଟକ( ଏସ୍ ନ୍ୟୁଜ ): ନୟାସଡ଼କସ୍ଥିତ ଆଇଆଇଏଫ୍‌ଏଲ୍‌ ଡକାୟତି ଘଟଣାରେ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହି ସମୟରେ ଗିରଫ ଭୟରେ ଗୋଲଡ୍‌ ଲୋନ୍‌ ସଂସ୍ଥାର ଜଣେ କର୍ମଚାରୀ ନିଜ ବାହାଘର ଛାଡ଼ି ଫେରାର ହୋଇଯାଇଛନ୍ତି। ହୋଟେଲରୁ କନ୍ୟା ଓ ତାଙ୍କ ପରିବାର ଲୋକେ ନିରାଶ ହୋଇ ଫେରିଛନ୍ତି।

ସୂଚନା ଅନୁଯାୟୀ, ଶିଖରପୁର ଛକସ୍ଥିତ ଏକ ହୋଟେଲରେ ଗତକାଲି ଗୋଲଡ୍‌ ଲୋନ୍‌ ବ୍ୟାଙ୍କର ଜଣେ କର୍ମଚାରୀଙ୍କ ଦିନରେ ବାହାଘର ହେବାର ଥିଲା। ତେବେ, ନୟାସଡ଼କସ୍ଥିତ ଆଇଆଇଏଫଏଲ୍ ଶାଖାରୁ ସୁନା ଡକାୟତି ହେବା ପରେ ଗତ ଦୁଇଦିନ ହେଲା ପୁଲିସ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଥିବାରୁ ଏହାର ପ୍ରଭାବ କର୍ମଚାରୀଙ୍କ ବାହାଘରରେ ଦେଖିବାକୁ ମିଳିଥିଲା‌। କଟକର ଏକ ଗୋଲଡ୍‌ ଫାଇନାନ୍ସ ସଂସ୍ଥାରେ ଚାକିରି କରିଥିବା ଏହି ଯୁବକ ବାହାଘର ପାଇଁ ବର ବେଶ ସାଜି ଶିଖରପୁରକୁ ଆସୁଥିବାବେଳେ ତାଙ୍କ ଉପରେ ପୁଲିସର ନଜ଼ର ପଡିଥିଲା। ପୁଲିସକୁ ଦେଖି ଯୁବକଜଣକ ଭୟରେ ଆଉ ବାହାଘର ମଣ୍ଡପକୁ ନଆସି କାର୍‌ରୁ ଓହ୍ଲାଇ ଦୌଡ଼ି ପଳାଇଥିଲେ।

ଅନ୍ୟପଟେ ଘଟଣାରେ ମାନାପୁରମ୍‌ ଗୋଲ୍ଡ଼ ‌କମ୍ପାନିର ମ୍ୟାନେଜରଙ୍କୁ ପଚରାଉଚରା । ବଜ୍ରକବାଟି ଶାଖାର ମ୍ୟାନେଜରଙ୍କୁ ସୁନା ଲୁଚାଇ ରଖିବା ଘଟଣାରେ ପୁଲିସ ଉଠାଇନେଇ ପଚରାଉଚରା କରିଛି। ପୁଲିସ ସନ୍ଦେହ କରୁଛି କି ଚୋରି ସୁନା ହୁଏତ ସେ ଲୁଚାଇ ରଖିପାରି ଥାଆନ୍ତି।

ନୟାସଡ଼କ ଆଇଆଇଏଫଏଲ୍‌ ଫାଇନାନ୍ସ ଶାଖାରୁ ଗଲା ୧୯ ତାରିଖରେ ଡକାୟତି ଘଟଣାରେ ଟେରିଟୋରି ମ୍ୟାନେଜର ତାପସ ରଞ୍ଜନ ସ୍ବାଇଁ ଲାଲବାଗ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାର ପୂରା ତଥ୍ୟ ଗତକାଲି ଲାଲବାଗ ଥାନାରେ ଡିସିପି ପ୍ରତୀକ ସି˚ହ ଏକ ସାମ୍ବାଦିକ ସମ୍ମିଳନୀରେ ପର୍ଦ୍ଦାଫାସ କରିଛନ୍ତି। ସେଦିନ ଡକାୟତି ପରେ କମିସନରେଟ୍‌ ପୁଲିସ ଫାଇନାନ୍ସ ଶାଖା ବାହାରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ଏବ˚ ସମସ୍ତ କର୍ମଚାରୀଙ୍କ ସିଡିଆର‌୍‌ ଯାଞ୍ଚ କରିଥିଲା। ଶାଖାର ସମସ୍ତ କର୍ମଚାରୀଙ୍କ ପୁଲିସ ରେକର୍ଡ ଯାଞ୍ଚ କରାଯାଇଥିଲା। ଲାଲା ଅମୃତ ବିରୋଧରେ ମଙ୍ଗଳାବାଗ ଥାନାରେ ୨୦୧୯ ମେ’ ୩୧ ତାରିଖରେ ଏକ ଠକେଇ ମାମଲା ଥିବା ଜଣାପଡ଼ିଥିଲା। ବଜ୍ରକବାଟି ମାନାପୁରମ୍‌ ଫାଇନାନ୍ସ ଲିଃ ଶାଖାରେ ସେହି ସମୟରେ କାର୍ଯ୍ୟ କରୁଥିବା ବଡ଼ଭାଇ ଲାଲା ରଞ୍ଜନ ରାୟ ସହିତ ମିଶି ଲାଲା ଅମୃତ ୪୦ ଲକ୍ଷ ଟଙ୍କାର ଋଣ ହେରଫେର‌୍‌ କରିଥିବା ଅଭିଯୋଗ ହୋଇଥିଲା। କୌଣସି ସୁନା ମାନାପୁରମରେ ବନ୍ଧକ ନ ରଖି ବି ୪୦ ଲକ୍ଷ ଟଙ୍କାର ଋଣ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲା ସାମ୍‌ନାକୁ ଆସିବା ପରେ ପ୍ରଥମେ ଗତ ୨୦ ତାରିଖରେ ପୁଲିସ ସ୍କାନର୍‌କୁ ଆସିଥିଲେ ଲାଲା ଅମୃତ। ନୟାସଡ଼କ ଫାଇନାନ୍ସରେ ୨୦୧୧ରୁ କାର୍ଯ୍ୟ କରିଆସୁଥିବା ଅମୃତଙ୍କୁ ପୁଲିସ ଜେରା କରିବା ସହିତ ସିଡିଆର‌୍‌ ଯାଞ୍ଚ ପରେ ପୂରା ଘଟଣା ସାମ୍‌ନାକୁ ଆସିଥିବା ଜଣାପଡ଼ିଛି।