ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଲାଗି ହାଇକୋର୍ଟରେ ଜନସ୍ବାର୍ଥ ମାମଲା-shaksi news


ଭୁବନେଶ୍ବର( ଏସ୍ ନ୍ୟୁଜ ): ନୟାଗଡ ପରୀ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଦାୟର ହେଲା ଜନସ୍ବାର୍ଥ ମାମଲା । ପରୀ ମୃତ୍ୟୁର ତଦନ୍ତ କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ଦ୍ୱାରା କରାଯାଉ। ପୂର୍ବରୁ ମଧ୍ୟ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ଆସିଛି। ଯାହାର ତଦନ୍ତ କ୍ରାଇମବ୍ରାଞ୍ଚ କରିଛି। ହେଲେ ଫଳ କିଛି ମିଳିନାହିଁ । ତେଣୁ ଏଥର ସିବିଆଇ ତଦନ୍ତ ଦାବି କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି।

ଏହାସହ ପରୀର ପରିବାର ଲୋକଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଛି ।ଏହି ଘଟଣାରେ ରାଜ୍ୟ ଗୃହ ସଚିବ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ନୟାଗଡ଼ ଏସପି, ନୟାଗଡ଼ ସଦର ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୪ ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା ପରୀ । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇ ସଦର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଟିମ୍ ଗଠନ କରି ତଦନ୍ତ କରିବା ସହ ଡଗ୍ ସ୍କ୍ବାର୍ଡ ଆଣି ଖୋଳତାଡ କରିଥିଲା । ୨୩ ତାରିଖ ଅପରାହ୍ନରେ ବାଡି ପଟ ଗାଡିଆ କୂଳରେ ବସ୍ତାରେ ବନ୍ଧା ଅବସ୍ଥାରେ ଝିଅର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା । ଘଟଣାକୁ ୪ ମାସ ବିତିଯାଇଥିଲେ ମଧ୍ୟ ଏଯାଏଁ ଅଭିଯୁକ୍ତଙ୍କୁ ଗିରଫ କରିପାରିନି ପୋଲିସ । ଯାହାକୁ ନେଇ ନୟାଗଡାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।