ଭିତରକନିକା ଖୁସି: ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କ କଳରବ

ସାଇବେରିଆ, କାସ୍ପିଆନ୍‌ ସାଗର ଅଂଚଳରୁ ବିଦେଶୀ ପକ୍ଷୀମାନେ..

କେନ୍ଦ୍ରାପଡ଼ା: ସବୁ ବର୍ଷ ଭଳି ଚଳିତ ଶରତ ଋତୁରେ ଭିତରକନିକା ଜାତୀୟ ପାର୍କ ଲକ୍ଷାଧିକ ପରିବ୍ରାଜକଙ୍କୁ ସ୍ୱାଗତ କରିଛି । ଅତିଥି ପକ୍ଷୀଙ୍କ ଆଗମନରେ ଚଂଚଳ ହୋଇଛି ଭିତରକନିକା । ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ଅତିଥି ପକ୍ଷୀଙ୍କ ସଂଖ୍ୟାରେ ୭ ପ୍ରତିଶତ ବୃଦ୍ଧି ପାଇଥିବା ସମ୍ପର୍କରେ ଅଭୟାରଣ୍ୟ ପରିଚାଳକ କହିଛନ୍ତି ।

ସାଇବେରିଆ, କାସ୍ପିଆନ୍‌ ସାଗର ଅଂଚଳରୁ ବିଦେଶୀ ପକ୍ଷୀମାନେ ଭିତରକନିକାକୁ ଉଡ଼ି ଆସିବାର ଏକମାତ୍ର ଲକ୍ଷ୍ୟ ହେଉଛି ଅଣ୍ଡା ଦେଇ ଛୁଆ ଫୁଟାଇବା । ବିଦେଶୀ ପକ୍ଷୀଙ୍କ ଅଣ୍ଡାରୁ ଛୁଆ ବାହାରିବା ପର୍ଯ୍ୟନ୍ତ ଅଣ୍ଡାକୁ ପୂର୍ଣ୍ଣ ସୁରକ୍ଷା ଦେବାପାଇଁ ବନ୍ୟଜନ୍ତୁ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ବିଦେଶୀ ପକ୍ଷୀଙ୍କ ଶିକାର ଓ ଅଣ୍ଡା ଚୋରି ରୋକିବା ପାଇଁ ବନ କର୍ମଚାରୀଙ୍କୁ ଆଲର୍ଟ କରାଯାଇଛି ।
ବିଦେଶୀ ପକ୍ଷୀ ସ୍ୱଦେଶ ପତ୍ୟାବର୍ତନ କରିବା ପର୍ଯ୍ୟନ୍ତ ବନ କର୍ମଚାରୀମାନେ ସତର୍କ ରହିବାକୁ କୁହାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ହେନ୍ତାଳ ବଣ ବିଦେଶୀ ପକ୍ଷୀଙ୍କ ପାଇଁ ଏନ୍ତୁଡ଼ିଶାଳ । ୨୦୨୧ରେ ୧ ଲକ୍ଷ ୯ ହଜାର ବିଦେଶୀ ପକ୍ଷୀ ଭିତରକନିକାକୁ ଆସିଥିଲେ; ଚଳିତବର୍ଷ ୧ ଲକ୍ଷ ୧୬ ହଜାର ଆସିଛନ୍ତି । ବିଦେଶୀ ପକ୍ଷୀଙ୍କ ଭିତରେ ବହୁ ବିରଳ ପ୍ରଜାତିର ପକ୍ଷୀ ଅଛନ୍ତି । ବିରଳ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ଓ ଜୀବନ ରକ୍ଷା ପ୍ରତି ଯଥେଷ୍ଟ ଦୃଷ୍ଟି ଦେବାକୁ ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । କେବଳ ବିଦେଶୀ ପକ୍ଷୀ ନୁହନ୍ତି, ବିରଳ ପ୍ରଜାତିର ଲୁଣା ସମୁଦ୍ର କୁମ୍ଭୀର ପାଇଁ ଭିତରକନିକା ଏନ୍ତୁଡ଼ିଶାଳ ପାଲଟିଛି ।

ଭିତରକନିକା ଜାତୀୟ ଉଦ୍ୟାନ ଭିତର ଦେଇ ପ୍ରବାହିତ ବହୁ ଛୋଟନଦୀ ଓ କେନାଲ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ବନ ବିଭାଗର ବହୁ କର୍ମଚାରୀ । ତା’ ସହିତ ଜାତୀୟ ଉଦ୍ୟାନ ଭିତରେ ଓ ଚାରିପାଖରେ ରହୁଥିବା ଗ୍ରାମବାସୀଙ୍କୁ ବିଦେଶୀ ପକ୍ଷୀଙ୍କ ଅଣ୍ଡାଦାନ ଅଂଚଳକୁ ଯିବା ପାଇଁ ବାରଣ କରାଯାଇଛି । ତା’ ସହିତ ସାତଭାୟା ଓ ବରୁଣେଇ ଅଂଚଳରେ ମାଛଧରାକୁ ବନ୍ଦ କରାଯାଇଛି ।