ନବଦାସଙ୍କ ହତ୍ୟାକାଣ୍ଡରେ ଚପିଗଲା କେନ୍ଦୁଝର ହାଜତ ମୃତ୍ୟୁ

ମୃତକଙ୍କ ଶରୀରରେ ବିଭିନ୍ନ ଅଂଗରେ ମାଡ଼ ଓ କ୍ଷତ ଚିହ୍ନ ରହିଥିବା କହନ୍ତି ଲିନୁ…..

ବଲାଣୀ: ନବଦାସଙ୍କ ହତ୍ୟାକାଣ୍ଡକୁ ନେଇ ସାରା ଓଡ଼ିଶା ଉଠୁଥିବା ପଡୁଥିବା ଭିତରେ ବଡ଼ବିଲ ପୁଲିସ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ମାରି ଦେଇ ଖସିଯିବାକୁ ବସିଛି । କେନ୍ଦୁଝର ପୁଲିସ ହାଜତରେ ଜଣେ ହତ୍ୟା ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଛି । ପ୍ରାଣ ହରାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାର କେ ବଲାଙ୍ଗ ଥାନା ଅନ୍ତର୍ଗତ ଚୋରଧରା ଅଂଚଳର ମିଲୁ ବାରିକ ।

ଗତ ନଭେମ୍ବର ୨୮ ତାରିଖ ରାତିରେ ବଲାଣି ଥାନା ଲସର୍ଦ୍ଦା ନିବାସୀ ଲକ୍ଷ୍ମୀଧର ଆପଟ ଓ ତାଙ୍କ ପତ୍ନୀ ମଞ୍ଜୁଲତା ଆପଟଙ୍କୁ ଗୁଳି କରି ହତ୍ୟା କରିଥିଲା ମିଲୁ ବାରିକ । ଘଟଣା ପରଠାରୁ ଅଭିଯୁକ୍ତ ମିଲୁ ଫେରାର ଥିଲା । ବଡ଼ବିଲ ଆଇଆଇସି ରାଜେନ୍ଦ୍ର କୁମାର ସ୍ୱାଇଁ ସୋମବାର ସନ୍ଧ୍ୟା ପ୍ରାୟ ୮ଟାରେ ରୁଗୁଡ଼ି ଅଂଚଳରୁ ଅଭିଯୁକ୍ତ ମିଲୁକୁ କାବୁ କରିଥିଲେ । ମାତ୍ର ବିଳମ୍ବିତ ରାତିରେ ତା’ର ମୃତ୍ୟୁ ଘଟିଥିଲା ବୋଲି ମିଲୁ ପରିବାର ଅଭିଯୋଗ କରିଛନ୍ତି । ପୁଲିସ ମିଲୁକୁ ପ୍ରବଳ ମାଡ଼ ମାରିବା ସହିତ ଗୁଳି କରି ମାରିଛି ବୋଲି ମିଲୁଙ୍କ ବାପା ଲିନୁ ବାରିକ ସାଂଘାତିକ ଅଭିଯୋଗ କରିଛନ୍ତି । ମୃତକଙ୍କ ଶରୀରରେ ବିଭିନ୍ନ ଅଂଗରେ ମାଡ଼ ଓ କ୍ଷତ ଚିହ୍ନ ରହିଥିବା କହନ୍ତି ଲିନୁ ।

ମୃତକଙ୍କ ପରିବାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଚମ୍ପୁଆ ଏସ୍‌ଡିପିଓ ରାମରାୟ ମୁର୍ମୁ । ଏସ୍‌ଡିପିଓ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ବହୁ ଚୋରି ଡକାୟତି ଅଭିଯୋଗ ରହିଛି । ରୁଗୁଡ଼ି ଥାନାରେ ତାକୁ ପଚରା ଉଚରା କରାଯାଉଥିବା ସମୟରେ ମିଲୁ ଅସୁସ୍ଥ ଅନୁଭବ କରିଥିଲା । ତାକୁ ଚିକିତ୍ସା ପାଇଁ ରାତି ୧୧ଟାରେ ଯୋଡ଼ାସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତରମାନେ ତାକୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ଅଭିଯୁକ୍ତକୁ ମାଡ଼ ମରାଯାଇଥିବା ଓ ଗୁଳି କରାଯାଇଥିବା ଘଟଣାକୁ ଏସ୍‌ଡିପିଓ ସଂପୂର୍ଣ୍ଣ ଏଡ଼ାଇ ଯାଇ କହିଛନ୍ତି, ମାନବାଧିକାର କମିଶନଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।