ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ ପକ୍ଷରୁ ଶୁଦ୍ଧିକ୍ରିୟା ସହାୟତା ପ୍ରଦାନ

କେନ୍ଦୁଝର: ସମଗ୍ର ଜିଲ୍ଲାରେ ବିଭିନ୍ନ ପ୍ରକାର ସେବା କାର୍ଯ୍ୟ କରି ଚର୍ଚ୍ଚାରେ ରହିଥିବା ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ ପକ୍ଷରୁ ଆଜି ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜାମୁଦଳକ ଗାଁର ଏକ ଅସହାୟ ପରିବାରକୁ ଶୁଦ୍ଧିକ୍ରିୟା ସହାୟତା ପ୍ରଦାନ କରିଛନ୍ତି । ସୂଚନା ମୁତାବକ ଏହି ଗ୍ରାମର ସରସ୍ଵତୀ ମୁଣ୍ଡା (୩୮ବର୍ଷ)ଯାହାଙ୍କ ସ୍ଵାମୀ କିଛି ବର୍ଷ ପୂର୍ବେ ଅଜଣା ରୋଗରେ ପଡ଼ି ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ଛୋଟ ଛୋଟ ଦୁଇ ଝିଅ ଏବଂ ଗୋଟିଏ ପୁଅ କୁ ନେଇ ଯେନତେନ ପ୍ରକାରେ ଜୀବନ ବିତାଉଥିଲେ ।

ହେଲେ ତାଙ୍କୁ ମଧ୍ୟ କିଛି ମାସ ହେଲା ଅଜଣା ରୋଗ ଗ୍ରାସ କରିବାରୁ ଶୁଖି ଶୁଖି କଙ୍କାଳ ସାର ହୋଇ ସପ୍ତାହକ ପୂର୍ବରୁ ତିନି ପିଲାଙ୍କୁ ଅନାଥ କରି ଆର ପାରିକୁ ଚାଲିଗଲେ । ଆଦିବାସୀ ଅଧ୍ୟୁଷିତ ଗାଁର ଏହି ଗରିବ ପରିବାରର ତିନି ପିଲା ମା’ଙ୍କ ମୃତ୍ୟୁ ପରେ ଖୁବ୍ ବିଚଳିତ ହୋଇ ପଡ଼ିଥିବା ବେଳେ ଶୁଦ୍ଧିକ୍ରିୟା କରିବା ପାଇଁ ମଧ୍ୟ ସାହସ ଜୁଟାଇ ନପାରି ସେହି ଗାଁ ନିକଟସ୍ଥ “ଲାଇଫ ସେଭର୍ସ ଗୃପ ଟ୍ରଷ୍ଟ” ର ସକ୍ରିୟ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ଏବଂ ସୁରେଶ ମୁଣ୍ଡା ଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିଲେ।

ଏନେଇ ଟ୍ରଷ୍ଟର ଚମ୍ପୁଆ ଉପଖଣ୍ଡର ପ୍ରମୁଖ ସଦସ୍ୟ ଡୋରା ମହାନ୍ତ ଏବଂ ରତିକାନ୍ତ ନାୟକ ପିଲାଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଗୃପରେ ସହଯୋଗ ପାଇଁ ଜଣାଇଥିଲେ । ଆସନ୍ତା କାଲି ମୃତକ ୰ସରସ୍ଵତୀ ମୁଣ୍ଡାଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟ ଥିବାରୁ ଆଜି ଏନେଇ ଟ୍ରଷ୍ଟ ପକ୍ଷରୁ ସମାଜସେବୀ ସଞ୍ଜୀବ କୁମାର ସାହୁଙ୍କ ନେତୃତ୍ବରେ ଯୁଧିଷ୍ଠିର ମହାନ୍ତ,ବିନୋଦ ମହାନ୍ତ, ରଘୁନାଥ ମହାନ୍ତ, ପୁଷ୍ପ ମହାନ୍ତ, ଯୋଗେଶ୍ୱର ମହାନ୍ତ ଏବଂ ସ୍ଥାନୀୟ ଅଞ୍ଚଳର ସଦସ୍ୟଙ୍କ ଉପସ୍ଥିତିରେ ତାଙ୍କ ଜାମୁଦଳକ ବାସ ଭବନରେ ପହଞ୍ଚି ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକ ଥିବା ସମସ୍ତ ପ୍ରକାର ରାସନ୍ ସାମଗ୍ରୀ, ପିଲାଙ୍କୁ ଡ୍ରେସ୍ ପତ୍ର ଏବଂ କିଛି ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଲେ ।

ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଏନେଇ ଟ୍ରଷ୍ଟ ପକ୍ଷରୁ ଯୋଗାଯୋଗ କରି ତୁରନ୍ତ ଏହି ପିଲାଙ୍କୁ ସରକାରୀ ସହାୟତା , ପିଲାଙ୍କୁ ପାଠପଢ଼ା ପାଇଁ ହଷ୍ଟେଲ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି । ଏନେଇ ସେହି ଗ୍ରାମବାସୀ ଟ୍ରଷ୍ଟକୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ମୁତାବକ ଲାଇଫ ସେଭର୍ସ ଗୃପ ଟ୍ରଷ୍ଟ ପକ୍ଷରୁ ଏଯାଏଁ ପାଖାପାଖି ପଚାଶରୁ ଉର୍ଦ୍ଧ୍ବ ଅସହାୟ ଗରିବ ପରିବାରକୁ ଏହିଭଳି ଶୁଦ୍ଧିକ୍ରିୟା ସହାୟତା ଯୋଗାଇ ଆସୁଛି ।