ଓଷ୍ଟାର ୩୩ତମ ସାମ୍ବିଧାନିକ ସମ୍ମିଳନୀ ଉଦଘାଟିତ

କେନ୍ଦୁଝର: ଓଡ଼ିଶାର ଏକ ଅଗ୍ରଣୀ ସଂଗଠନ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ୩୩ତମ ସାମ୍ବିଧାନିକ ସମ୍ମିଳନୀ ଆଜି ଶନିବାର ପୂର୍ବାହ୍ନରେ କେନ୍ଦୁଝରଗଡ଼ ସ୍ଥିତ କାଳୀପଡ଼ିଆ ଠାରେ ଉଦଘାଟିତ ହୋଇଯାଇଛି। ସର୍ବପ୍ରଥମେ ବିଧିବ୍ୟବସ୍ଥା ଅନୁଯାୟୀ ସଂଗଠନର ସଭାପତି ଶ୍ରୀଯୁକ୍ତ ବିନୋଦ ବିହାରୀ ପାଣିଗ୍ରାହୀଙ୍କ ଦ୍ବାରା ଓଷ୍ଟାର ପତାକା ଉତ୍ତୋଳନ କରାଯାଇଥିଲା।ଏହା ପରେ ଅନୁଷ୍ଠିତ ଉଦଘାଟନୀ ସଭାରେ ପ୍ରାକ୍ତନ ଗଣଶିକ୍ଷା ମନ୍ତ୍ରୀ ତଥା ବର୍ତ୍ତମାନର ଘଷିପୁରା ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମ୍ମିଳନୀର ଶୁଭ ଉଦଘାଟନ କରିଥିଲେ।

ସଂଘର ସଭାପତି ଶ୍ରୀଯୁକ୍ତ ବିନୋଦ ବିହାରୀ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଆନନ୍ଦପୁର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ଭାଗିରଥି ସେଠୀ,ଚମ୍ପୁଆ ବିଧାୟିକା ମାନ୍ୟବର ଶ୍ରୀମତୀ ମିନାକ୍ଷୀ ମହାନ୍ତ,କେନ୍ଦୁଝର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ,ସରକାରୀ କର୍ମଚାରୀ ସମନ୍ଵୟ ସମିତିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁଜିତ୍ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ସଭା ପ୍ରାରମ୍ଭରେ ଓଷ୍ଟାର ସମ୍ପାଦକ ଶ୍ରୀମତୀ ସୁରଜିତା ନାୟକ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଶିକ୍ଷାପ୍ରଦୀପ ସଂପାଦକ ଶ୍ରୀଯୁକ୍ତ ଶଙ୍କର କୁମାର ସୁବୁଦ୍ଧି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ।ଓଷ୍ଟାର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାନ୍ତି ସ୍ବାଗତ ଅଭିଭାଷଣ ପ୍ରଦାନ ପୂର୍ବକ ଆଜିର ସାମ୍ବିଧାନିକ ସମ୍ମିଳନୀର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।

ଓଷ୍ଟାର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଭିକାରୀ ଚରଣ ସାହୁ,ଯୁଗ୍ମ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାଶଙ୍କ ସମେତ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ମହାପାତ୍ର ମଞ୍ଚାସୀନ ଥିଲେ।ସଭା ପ୍ରାରମ୍ଭରେ ନରସିଂହ ସ୍ୱାଇଁ ପୋଲିସ ହାଇସ୍କୁଲ ଛାତ୍ରୀମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷିତ ହୋଇଥିଲା।

ଏହା ପରେ ଅନୁଷ୍ଠିତ ସାଂଗଠନିକ ସଭାରେ ସଂଗଠନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାନ୍ତି ସଂପାଦକୀୟ ବିବରଣୀ ପାଠ କରିଥଲେ।କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ମହାପାତ୍ର ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ।ସମ୍ମିଳନୀରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷକ ପ୍ରତିନିଧି ମାନେ ଏହି ବିବରଣୀ ଉପରେ ମତାମତ ପ୍ରଦାନ କରିଥିଲେ।ସଂଗଠନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଅକ୍ଷୟ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ।ସମଗ୍ର ରାଜ୍ୟରୁ ପ୍ରାୟ ୨୦୦୦ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତିନିଧି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ।