ୟୁନିୟନ ବ୍ୟାଙ୍କ ଶାଖାର ଶାଖା ପରିଚାଳକ ରାମଚନ୍ଦ୍ର ଧନୱର ନିଖୋଜ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲସ୍ଥିତ ୟୁନିୟନ ବ୍ୟାଙ୍କ ଶାଖାର ଶାଖା ପରିଚାଳକ ରାମଚନ୍ଦ୍ର ଧନୱର ସୋମବାର ଠାରୁ ନିଖୋଜ ଥିବା ନେଇ ତାଙ୍କ ଧର୍ମପତ୍ନୀ ଆଶା ଭଗତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ମିଳିଥିବା ଖବର ଅନୁସାରେ ସବୁଦିନ ପରି ଗତ ୧୦ ତାରିଖ ପୂର୍ବାହ୍ନରେ ୧୦ଟାରେ ରାମଚନ୍ଦ୍ର ଶ୍ୟାମସୁନ୍ଦର ଆପାର୍ଟମେଣ୍ଟରୁ ବ୍ୟାଙ୍କକୁ ବାହାରିଥିଲେ, ହେଲେ ଦିନ ୧୧ ଘଟିକା ସୁଦ୍ଧା ସେ ବ୍ୟାଙ୍କରେ ପହଂଚି ନଥିଲେ। ବ୍ୟାଙ୍କର ଅନ୍ୟ କର୍ମଚାରୀ ତାଙ୍କ ମୋବାଇଲକୁ କଲ କରିଥିଲେ, କିନ୍ତୁ ତାଙ୍କ ସହିତ କୌଣସି ଯୋଗାଯୋଗ କରିପାରି ନଥିଲେ ଏବଂ ତାଙ୍କ ମୋବାଇଲ୍‌ ସୁଇଚ ଅଫ୍‌ ବୋଲି ସୂଚନା ମିଳିଥିଲା।

ତେବେ ପରେ ବ୍ୟାଙ୍କ କର୍ମଚାରୀମାନେ ରାମଚନ୍ଦ୍ରଙ୍କ ବିଷୟର ଜାଣିବା ପାଇଁ ତାଙ୍କ ପତ୍ନୀ ଆଶା ଭାଗତଙ୍କ ସହ ଯୋଗାଯୋଗ କରିଥିଲେହେଁ ତାଙ୍କ ସ୍ୱାମୀ ବ୍ୟାଙ୍କ ଯାଇଥିବା ନେଇ ସେ ପ୍ରକାଶ କରିଥିଲେ। ସନ୍ଧ୍ୟା ସୁଦ୍ଧା ତାଙ୍କର କୌଣସି ଖୋଜ ଖବର ନମିଳିବାରୁ, ପତ୍ନୀ ଆଶା ଭଗତ ବଡ଼ବିଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ସୂଚନା ମୁତାବକ ଥାନା ଅଧିକାରୀ ପ୍ରମୋଦିନୀ ସାହୁ ଏକ ନିଖୋଜ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।ବଡ଼ବିଲ ରୁ ଡିମ୍ପଲ ସାଣ୍ଡିଲ ରିପୋର୍ଟ।