ଆଗକୁ ଜୋରଦାର ହେବ ମାଓ ଅପରେସନ; ବୈଷଇକ ସହାୟତା ସହ ସାମିଲ ହେବ ଡ୍ରୋନ୍

ମାଓବାଦୀଙ୍କ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବ ଡ୍ରୋନ..

କୋରାପୁଟ/ ଫୁଲବାଣୀ: ମାଓ ଅପରେସନ ଆଗକୁ ଜୋରଦାର ହେବ । ଏଥିପାଇଁ ବୈଷଇକ ସହାୟତା ସହ ଡ୍ରୋନ୍ ବ୍ୟବହାର କରାଯିବ । ୬ଟି ଡ୍ରୋନ ପ୍ରଥମ ପର୍ଯ୍ୟାୟରେ ମାଓବାଦୀଙ୍କ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବ। କନ୍ଧମଳ ଓ କୋରାପୁଟ ଜିଲ୍ଲାରେ ମାଓ ମୁକାବିଲାର ସମୀକ୍ଷା କରି ସୂଚନା ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦେଶକ(ଡିଜିପି) ସୁନୀଲ କୁମାର ବଂଶଲ।

ଗତ ଶନିବାର ଦିନ ବିଏସଏଫର ସ୍ୱତନ୍ତ୍ର ବିମାନ ଯୋଗେ ଡିଜିପି ସୁନାବେଡା ପହଂଚିବା ପରେ ମାଓ ମୁକାବିଲା ନେଇ ବିଏସଏଫ, କୋବ୍ରା ବାଟାଲିୟନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆନ୍ଦ୍ର-ଓଡିଶା ସୀମାରେ ମାଓବାଦୀ ଗତିବିଧି ସମ୍ପର୍କରେ ଶ୍ରୀ ବଂଶଲ ବିସ୍ତୃତ ଆଲୋଚନା କରିଥିଲେ । ସେ କହିଥିଲେ ଆଗମୀଦିନରେ ମାଓ ଅପରେସନ ଡ୍ରୋନ୍ ସାମିଲ ହେବ।

ମାଓ ମୁକାବିଲା ସମୀକ୍ଷା ବୈଠକରେ ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦେଶକ ସଂଜୀବ କୁମାର ପଣ୍ଡା , ଦକ୍ଷିଣଅଞ୍ଚଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇ , ଦକ୍ଷିଣ – ପଶ୍ଚିମାଅଞ୍ଚଳ ଡ଼ିଆଇଜି ରାକେଶ ପଣ୍ଡିତ ,ଡ଼ିଆଇଜି ବିଏସଏଫ ଶୈଳେଶ କୁମାର ,କନ୍ଧମାଳ ଏସପି ଅଭିନବ ସୋନକର ପ୍ରମୁଖ ଉପସ୍ତିତି ରହିଥିଲେ । ଆଲୋଚନା ପରେ ଡିଜିପି କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ପୋଲିସ ନିର୍ଦେଶକ ଶ୍ରୀ ବଂଶଲ କନ୍ଧମାଳ ଗସ୍ତରେ ଆସି ଫୁଲବାଣୀ ରିଜର୍ଭ ପଡିଆରେ ନୂଆ ବିଏସଏଫ କ୍ୟାମ୍ପ ଉଦଘାଟନ କରିଥିଲେ । ଜିଲ୍ଲା ରେ ମାଓ କାର୍ଯ୍ୟକଳାପ ଏବଂ ମୁକାବିଲା ଅଭିଯାନ ର ସମୀକ୍ଷା କରିଥିଲେ । ଡିଜି ଶ୍ରୀ ବଂଶଲ ସହିତ ନିର୍ଦେଶକ ଶ୍ରୀ ପଣ୍ଡା ,ଆଇଜି (ଅପରେସନ) ଅମିତାଭ ଠାକୁର ,ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ , ସିଆରପିଏଫ କମାଣ୍ଡାଣ୍ଟ ସଂଜୀବ କୁମାର,ବିଏସଏଫ ଆଇଜି ଦୀନେଶ କୁମାର ଶର୍ମା ପ୍ରମୁଖ ଏହି ଗସ୍ତରେ ସାମିଲ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର, ବାଲିଗୁଡା ଏସଡିପିଓ ଏବଂ ଆଣ୍ଟିନକ୍ସଲ ସେଲର ଅଧିକାରୀମାନେ ଉପସ୍ଥିତ ଥିଲେ ।