ଆଇନର ଗଳାବାଟ: ଆଇଏଏସ୍‌ ପରିବାର ମାଡ଼ି ବସିଛନ୍ତି ସରକାରୀ ଜମି

ରାଜ୍ୟର ଗୋଚର, ଅନାବାଦୀ, ଜଙ୍ଗଲ ଜମିଗୁଡ଼ିକୁ ମାଡ଼ି ବସିଛନ୍ତି ….

ଭୁବନେଶ୍ୱର: ରାଜ୍ୟର ଗୋଚର, ଅନାବାଦୀ, ଜଙ୍ଗଲ ଜମିଗୁଡ଼ିକୁ ମାଡ଼ି ବସିଛନ୍ତି ସରକାରୀ ଅଧିକାରୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ଅଗନା ଅଗନି ଜଙ୍ଗଲ ଜମିକୁ ଜବର ଦଖଲ କରିଥିବାର ମିଛ ମାମଲା ରୁଜୁ କରି ରାଜସ୍ୱ କର୍ମଚାରୀ ତଥାକଥିତ ଜବର ଦଖଲକାରୀଙ୍କଠାରୁ ଜରିମାନା ଆଦାୟ କରି ରସିଦ କାଟି ଦେଉଛନ୍ତି । ମାମଲାକୁ କୋର୍ଟକୁ ନେଇ ଯାଉଛନ୍ତି । ବାସ୍‌ କିଛିଦିନର ଅଦାଲତି ଚେଙ୍କ ପରେ ସଂପୃକ୍ତ ଜଙ୍ଗଲ ଜମିକୁ ବାପା ସଂପତିରେ ସାମିଲ କରି ଦେଉଛନ୍ତି ତଥାକଥିତ ଜବର ଦଖଲକାରୀ । ଜବର ଦଖଲକାରୀଙ୍କ ଭିତରେ ଅଛନ୍ତି ଅଧିକାଂଶ ସରକାରୀ କର୍ମଚାରୀ । କେତେକ ଜାଗାରେ ଭୂମିହୀନ ଦର୍ଶାଇ ଜଙ୍ଗଲ ଜମିକୁ ମାଡ଼ି ବସୁଛନ୍ତି ଅବସରପ୍ରାପ୍ତ ସରକାରୀ କର୍ମଚାରୀ; ପରେ ସଂପୃକ୍ତ ଅଂଚଳ ଦାୟିତ୍ୱରେ ଥିବା ରାଜସ୍ୱ କର୍ମଚାରୀଙ୍କ ମୁଣ୍ଡକୁ ତେଲିଆ କରି ସ୍ଥାୟୀ ପଟ୍ଟା ହାସଲ କରୁଛନ୍ତି ।

ଏମିତି ଜବର ଦଖଲ କାରନାମା ସାରା ଓଡ଼ିଶାରେ ଚାଲିଛି । ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ସୁନ୍ଦରଗଡ଼, କୋରାପୁଟ, ନୂଆପଡ଼ା ଭଳି ଅଂଚଳରେ । ବିଶେଷ କରି ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଅଧିକାରୀମାନେ ଆଇନକୁ ଢାଲ କରି ଜଙ୍ଗଲ ଜମି, ଗୋଚର, ଅନାବାଦୀକୁ ମାଡ଼ି ବସିବାରେ ମାହିର ବୋଲି ଦେଖିବାକୁ ମିଳିଛି ।
ଉଦାହରଣ ଭାବେ ଆମେ ଆପଣଙ୍କୁ ନେଇଯାଉଛୁ ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ତହସିଲ ଅନ୍ତର୍ଗତ ଗାଙ୍ଗପୁରଗଡ଼ ମୌଜାକୁ । ସଂପୃକ୍ତ ଅଂଚଳରେ କିଛି ପ୍ରଭାବଶାଳୀ ସରକାରୀ ଅଧିକାରୀ ଜଙ୍ଗଲ ଜମି ପଟ୍ଟା ହାସଲ କରିଛନ୍ତି । ତହସିଲ ଅଫିସର କିଛି ଅସାଧୁ କର୍ମଚାରୀଙ୍କ ସହଯୋଗରେ କିଛି ସରକାରୀ ଚାକିରିଆ ଗୋପନରେ ଜମିପଟ୍ଟା ହାସଲ କରିଥିବା ଜଣାପଡ଼ିଥିଲା ।

ଶତାଧିକ ଲୋକ ଗତ ମଙ୍ଗଳବାର ସବଡେଗା ତହସିଲଦାରଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ପ୍ରଶ୍ନ ଉଠୁଛି, ଜଙ୍ଗଲ ଜମିକୁ ବର୍ଷବର୍ଷ ଧରି ଚାଷ କରୁଥିବା ନିରୀହ ଆଦିବାସୀ ପରିବାରକୁ ଜମି ପଟ୍ଟା ମିଳୁନାହିଁ । ମାତ୍ର ସେହି ଚାଷଜମିକୁ କିଛି ସରକାରୀ ଚାକିରିଆଙ୍କ ହାତକୁ ଟେକି ଦିଆଯାଉଛି । ଏ ତ ଗଲା ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ତହସିଲ କଥା । ଏବେ ଆପଣଙ୍କୁ ବାରଙ୍ଗ-ପିତାପଲୀ ରାସ୍ତାର ଉଭୟ କଡ଼ରେ ଥିବା ସରକାରୀ ଜମି ଇତିହାସ ମଧ୍ୟ ସେଇଆ । ସଚିବାଳୟରେ ସଚିବ ଭଳି ପଦବୀ ଜାବୁଡ଼ି ଧରିଥିବା କିଛି ଆଇଏଏସ୍‌ ଅଧିକାରୀ ସେମାନଙ୍କ ପତ୍ନୀଙ୍କ ନାମରେ ଟ୍ରଷ୍ଟ ଗଠନ କରି ବହୁ ସରକାରୀ ଜାଗା ମାଡ଼ି ବସିଛନ୍ତି । ଜମିଗୁଡ଼ିକ ଟ୍ରଷ୍ଟ ନାମରେ ନାମକୁ ମାତ୍ର ରହିଛି; କିନ୍ତୁ ଉପଭୋଗ କରୁଛନ୍ତି ସଂପୃକ୍ତ ଆଇଏଏସ୍‌ ବଂଶଜ ।