ଚଳିତ ବର୍ଷ କେବଳ ମାର୍ଚ୍ଚ ମାସରେ ହାତୀ ମୃତ୍ୟୁ ସଂଖ୍ୟା ଗତ ତିନି ବର୍ଷ ମଧ୍ୟରେ ସର୍ବାଧିକ

ପ୍ରତିବର୍ଷ ହାରାହାରି ୮୦ଟି ହାତୀ ମୃତ୍ୟୁବରଣ କରୁଛନ୍ତି

ଗତ ଦଶନ୍ଧି ମଧ୍ୟରେ ରାଜ୍ୟରେ ୭୮୪ଟି ହାତୀ ପ୍ରାଣ ହରାଇବା ଦୁର୍ଭାଗ୍ୟର ବିଷୟ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ହାତୀ ଓ ବନ୍ୟାପ୍ରାଣୀଙ୍କ ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କରିବା ସହ ସେମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ହସ୍ତକ୍ଷେପ କରିବା ତଥା ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପୃଥକ ପୃଥକ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ଦିନକୁ ଦିନ ବଢ଼ି ଚାଲିଥିବା ହାତୀ ମୃତ୍ୟୁ ତଥା ହାତୀ-ମଣିଷ ସଂଘର୍ଷ ଆଜି ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ ପାଲଟିଛି । ଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ୭୮୪ଟି ହାତୀ ପ୍ରାଣ ହରାଇବା ଦୁର୍ଭାଗ୍ୟର ବିଷୟ । ଏ ମଧ୍ୟରୁ କେବଳ ଗତ ତିନି ବର୍ଷ ଭିତରେ ୨୪୫ଟି ହାତୀଙ୍କର ମୃତ୍ୟୁ ଘଟିଛି । ପ୍ରତିବର୍ଷ ହାରାହାରି ୮୦ଟି ହାତୀ ମୃତ୍ୟୁବରଣ କରୁଛନ୍ତି । ଚଳିତ ବର୍ଷ କେବଳ ମାର୍ଚ୍ଚ ମାସରେ ସାତଟି ହାତୀ ମୃତ୍ୟୁ ମୁଖରେ ପଡ଼ିଛନ୍ତି, ଯାହା ଗତ ତିନି ବର୍ଷ ମଧ୍ୟରେ ସର୍ବାଧିକ । ଅଧିକାଂଶ ହାତୀ ବିଦ୍ୟୁତ୍ ଆଘାତ, ରୋଗ ଅଥବା ଟ୍ରେନ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଶିକାର ହେବା ପରିତାପର ବିଷୟ ।

ହାତୀ ଓ ହଜାର ହଜାର ବନ୍ୟପ୍ରାଣୀଙ୍କର ମଧ୍ୟ ଏହିଭଳି ଅଭାବନୀୟ ମୃତ୍ୟୁ ଘଟୁଅଛି । ୨୦୧୭ -୧୮ରୁ ୨୦୨୧-୨୨ ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୪୧୬ଟି ହାତୀଙ୍କୁ ମିଶାଇ ସମୁଦାୟ ୨,୭୭୬ଟି ବନ୍ୟଜନ୍ତୁଙ୍କର ମୃତ୍ୟୁ ଘଟିଛି । ସେହିପରି, ହାତୀ-ମଣିଷ ସଂଘର୍ଷ ବେଳକୁ ବେଳ ଉତ୍କଟ ହେବାରେ ଲାଗିଛି । ଆମ ରାଜ୍ୟରେ ହାତୀ ଆକ୍ରମଣରେ ୬୬୯ ଜଣ ଲୋକ ଓ ୭୪୧ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୯,୧୫୧ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି ।

ହାତୀ ହେଉଛି ଆମର ପରିବେଶ ସନ୍ତୁଳନ, ସାଂସ୍କୃତିକ ଐତିହ୍ୟ ଏବଂ ଓଡ଼ିଶାରର ସାମଗ୍ରିକ ପରିଚୟର ଅବିଚ୍ଛେଦ୍ୟ ଅଙ୍ଗ । ତେଣୁ ହାତୀମାନଙ୍କର ସୁରକ୍ଷା ଓ ସଂରକ୍ଷଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ଆହୁରି ମଧ୍ୟ, ଆମ ବଣଜଙ୍ଗଲ ଓ ଏହା ଉପରେ ନିର୍ଭର କରୁଥିବା ସ୍ଥାନୀୟ ସମ୍ପ୍ରଦାୟ ଗୁଡ଼ିକର ଜୀବନ ଜୀବିକା ପାଇଁ ହାତୀ ଭଳି ଅମୂଲ୍ୟ ବନ୍ୟପ୍ରାଣୀକୁ ପ୍ରାଥମିକତା ଦିଆଯିବା ନିହାତି ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ସରକାର ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ନିଜର ଦୃଢ଼ ପ୍ରତିବଦ୍ଧତା ଦେଖାଇ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜ ‘ମନ୍ କି ବାତ୍’ରେ ହାତୀଙ୍କ ଗୁରୁତ୍ୱ ଓ ସେମାନଙ୍କ ସଂରକ୍ଷଣ ଉପରେ ବାରମ୍ବାର ଆଲୋକପାତ କରି ଆସୁଛନ୍ତି । ହାତୀମାନଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷିତ ଅଞ୍ଚଳ ନେଟୱର୍କର ସମ୍ପ୍ରସାରଣ ଏବଂ ’ପ୍ରୋଜେକ୍ଟ ଏଲିଫେଣ୍ଟ’ ଆରମ୍ଭ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପ୍ରୟାସ ହିଁ ଗଜରାଜଙ୍କ ସୁରକ୍ଷାର ଏକ ଶକ୍ତ ମୂଳଦୁଆ ପକାଇଛି । ତେଣୁ କେନ୍ଦ୍ର ସରକାରଙ୍କ ପରି ସାରା ଓଡ଼ିଶାରେ ହାତୀର ସୁରକ୍ଷିତ ତଥା ଅବାଧ ବିଚରଣକୁ ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ସମୟୋଚିତ ହସ୍ତକ୍ଷେପ ଅତି ଜରୁରୀ । ହାତୀଙ୍କ ସୁରକ୍ଷା ତଥା ସଂରକ୍ଷଣ ଦିଗରେ ଯଥାଶୀଘ୍ର ଦୃଢ଼ ପଦକ୍ଷେପ ନେବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।