ନବୀନବାବୁଙ୍କ ଅମଳରେ ପ୍ରଶ୍ନପତ୍ର ମୁଦ୍ରଣଜନିତ ତ୍ରୁଟି ଐତିହାସିକ

ଅଭିଯୋଗ ପ୍ରତି ଅଭିଯୋଗ, ତର୍କବିତର୍କ, ବାଦବିବାଦ ଭିତରେ …

ଭୁବନେଶ୍ୱର: ଅଭିଯୋଗ ପ୍ରତି ଅଭିଯୋଗ, ତର୍କବିତର୍କ, ବାଦବିବାଦ ଭିତରେ ସରିଛି ମାଟ୍ରିକ ପରୀକ୍ଷା । ସରିଯିବ ଯୁକ୍ତ ଦୁଇ ପରୀକ୍ଷା । ତାରି ଭିତରେ ସରିଯିବ ମୂଲ୍ୟାୟନ । ବାହାରିଯିବ ପରୀକ୍ଷା ଫଳ । ଲେଖିଥିବା ପିଲା ପାଇବ ତୃତୀୟ ଶ୍ରେଣୀ, ନଲେଖିଥିବା ପିଲା ପାଇବ ପ୍ରଥମ ଶ୍ରେଣୀ । ସବୁ ଅଭିଯୋଗକୁ ଗୋଟିଏ କାନରେ ଶୁଣି ଆର କାନରେ ଉଡାଇ ଦେବେ ବୋର୍ଡ ଅଧିକାରୀ, ମାଧ୍ୟମିକ ଶିକ୍ଷା ପରିଷଦ ଓ ମନ୍ତ୍ରୀ ସମୀର ଦାଶ । ଏହି ଧାରା ମାତ୍ର ୨୫ ବର୍ଷର ନୁହେଁ; ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ଆରମ୍ଭ ହେବା ଦିନଠାରୁ । ସରକାର ପରେ ସରକାର ବଦଳୁଛି । ମୁଖ୍ୟମନ୍ତ୍ରୀ ପରେ ମୁଖ୍ୟମନ୍ତ୍ରୀ ବଦଳୁଛନ୍ତି । ଶିକ୍ଷାମନ୍ତ୍ରୀ ପରେ ଶିକ୍ଷାମନ୍ତ୍ରୀ ବଦଳୁଛନ୍ତି । ମାତ୍ର ବଦଳୁନି ପିଲାଙ୍କ ମାଟ୍ରିକ ପରୀକ୍ଷା ଓ ଯୁକ୍ତ ଦୁଇ ପରୀକ୍ଷା ବିଭ୍ରାଟ । ପ୍ରତିବର୍ଷ ପରୀକ୍ଷା ବିଭ୍ରାଟ ଭିତରେ ହଜାର ହଜାର ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଯାଉଛି । ପରୀକ୍ଷା ଫଳରେ ଅସନ୍ତୁଷ୍ଟ ହୋଇ ପୁନଃ ମୂଲ୍ୟାୟନ ପାଇଁ କେହି ଆବେଦନ କରି ବହୁ ପିଲା ନିରାଶ ହେଉଛନ୍ତି । ସବୁକିଛି ଠିକଠାକ୍‌ ଚାଲିଛି କହି ଶିକ୍ଷାମନ୍ତ୍ରୀ, ବୋର୍ଡ ପରିଚାଳନା ମଣ୍ଡଳୀ, ମାଧ୍ୟମିକ ଶିକ୍ଷା ପରିଷଦ ସବୁ ଘଟଣାକୁ ଏଡାଇ ଯାଉଛନ୍ତି । ଶିକ୍ଷା ବ୍ୟବସ୍ଥାର ସଂସ୍କାର ବୋଲି କିଛି ଦେଖିବାକୁ ମିଳୁନି ।

ଚଳିତ ପରୀକ୍ଷାରେ କୋଉଠି ପରୀକ୍ଷକ ପିଲାଙ୍କୁ ଉତର ଡାକି ଦେଉଛନ୍ତି ତ କୋଉଠି ଟଙ୍କା ନେଇ ପିଲାଙ୍କୁ କପି ଯୋଗାଇ ଦିଆଯାଇଛି । କପି କରିବାରେ ବାଧା ଦେଲେ ପରୀକ୍ଷାର୍ଥୀ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବା ମାମଲା ମଧ୍ୟ ସାମ୍ନାକୁ ଆସିଛି । ବିଜ୍ଞାନ, ସାମାଜିକ ବିଜ୍ଞାନ, ଗଣିତ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ କରାଯାଇଥିଲେ ମଧ୍ୟ ତାକୁ ଏଡାଇ ଯାଇଛନ୍ତି ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ । ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଯାଇଛି; ଏହାକୁ ସବୁ ଅଭିଭାବକ ଅନୁଭବ କରୁଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ସରକାର ଅନୁଭବ କରିପାରୁନି । ହୁଏତ ନବୀନ ପଟ୍ଟନାୟକଙ୍କ ସରକାର ଜାଣିଶୁଣି ଶିକ୍ଷା ବ୍ୟବସ୍ଥାକୁ ଗୋଳିଆ କରି ରଖୁଛନ୍ତି ନଚେତ ଅତି ଚାଲାକ ଭାବୁଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରଶ୍ନପତ୍ରର ତ୍ରୁଟିପୂର୍ଣ୍ଣ ମୁଦ୍ରଣକୁ ଏଭଳି ଭାବେ ସ୍ୱୀକାର କଲେ ଯେମିତି ସେପରି କିଛି ଗୁରୁତର ସମସ୍ୟା ଉପୁଜିନି । ମାଧ୍ୟମିକ ଶିକ୍ଷକ ମହାସଂଘ କହିଛି ଯେ ସାମାଜିକ ବିଜ୍ଞାନ ପ୍ରଶ୍ନରେ ଗୁରୁତର ତ୍ରୁଟି ପରିଷଦ ଇତିହାସରେ ପ୍ରଥମ । ଏପରି ତ୍ରୁଟିକୁ ନବୀନ ପଟ୍ଟନାୟକ ଐତିହାସିକ ତ୍ରୁଟି କହିବା ଅସମ୍ଭବ ନୁହେଁ । ନବୀନବାବୁଙ୍କ ଅମଳରେ ସବୁ ଐତିହାସିକ ପାଲଟିଯାଉଛି ।