ଅବ୍ୟବସ୍ଥା ଘେରରେ ସରଗଡା ବାଳିକା ଛାତ୍ରୀ ନିବାସ,ଶୈଚ କରିବାକୁ ଯାଉଛନ୍ତି ଜଙ୍ଗଲକୁ ୧୦୦ ଛାତ୍ରୀ।

ମୟୂରଭଞ୍ଜ: ପିଲା ମାନଙ୍କ ପାଠ ପଢ଼ା କ୍ଷେତ୍ରରେ ଏକ ସୁନ୍ଦର ପରିବେଶର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ପିଲା ମାନଙ୍କ ପାଠ ପଢ଼ା ନିମିତ୍ତ ଏକ ବିଦ୍ୟାଳୟର ସୁନ୍ଦର ପରିବେଶ, ଛାତ୍ରୀ ନିବାସ ଛାତ୍ର ନିବାସ ଏପରି ଅନେକ ବ୍ୟବସ୍ଥା ରଖାଯାଇଥାଏ। ଏପରି କି ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ା ପାଇଁ ଗଢ଼ି ଉଠିଥିବା ବିଦ୍ୟାଳୟ ଗୁଡିକୁ ବିଦ୍ୟାର ମନ୍ଦିର ମଧ୍ୟ କୁହାଯାଏ। କିନ୍ତୁ ଆପଣମାନେ ଦେଖୁଛନ୍ତି ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ସରଗଡା ଛାତ୍ରୀ ନିବାସ ଦୃଶ୍ୟ। ଯାହା କି ଏବେ ଅବ୍ୟବସ୍ଥା ଘେରରେ ଛନ୍ଦି ହୋଇ ପଡ଼ିଛି। ତେବେ ଉପାନ୍ତ ଅଞ୍ଚଳର ଅଧିବାସୀ ଶ୍ରେଣୀ ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଦେଇ ସମାଜର ମୂଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ସରକାର ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି।

ଗରିବ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସେବା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀ ନିବାସ ସହିତ ବିଭିନ୍ନ ବ୍ୟବସ୍ଥା ଯୋଗାଇ ଦିଆଯାଇଛି, ତେବେ ଏହାର ବ୍ୟତିକ୍ରମ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ସରଗଡା ଛାତ୍ରୀ ନିବାସରେ ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟରେ ଥିବା ମୋଟ ୧୦୦ ସଜ୍ୟା ବିଶିଷ୍ଟ ଛାତ୍ରୀ ନିବାସ ବିଭିନ୍ନ ଅବ୍ୟବସ୍ଥା ଘେରରେ ଗତି କରୁଛି। ଏହି ଛାତ୍ରୀ ନିବାସରେ ଥିବା ବରୋଓ୍ଵେଲ ୩ମାସ ଧରି ଅଚଳ ହୋଇ ପଡିଥିବା ସହିତ ଏକ ମାସ ଧରି ଶୈଚାଳୟର ଟାଙ୍କି ମଳରେ ପରିପୂର୍ଣ୍ଣ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଏହି ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଗୋଚର କରିଥିଲେ ମଧ୍ୟ ବର୍ତମାନ ସୁଦ୍ଧା କୈାଣସି ସମସ୍ୟା ର ସମାଧାନ ପାଇଁ ପଦକ୍ଷେପ ନେଇ ନ ଥିବା ସୂଚନା ମିଳିଛି। ଯାହା ଫଳରେ ଏହି ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଜଳ ଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ୍ ଥିବାରୁ ଛାତ୍ରୀ ମାନେ ବାଧ୍ୟ ହୋଇ ବିଦ୍ୟାଳୟ ପରିସରର ବାହାରେ ଥିବା ଏକ ଜଳାଶୟ ରୁ ପାଣି ଆଣି ନିଜ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି।ଆଉ ଏକ ଲଜ୍ଜା ର ବିଷୟ ଏହି କି ଯେ ଛାତ୍ରୀ ମାନେ ଶୈଚ କରିବାକୁ ନିକଟସ୍ଥ ଏକ ଜଙ୍ଗଲକୁ ସକାଳ ସନ୍ଧ୍ୟା ଯାଉଥିବା ଜଣାପଡିଛି। ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଏଣୁ ଏହି ସମସ୍ୟାର ଅତି ଶୀଘ୍ର ସମାଧାନ କରିବା ପାଇଁ ଛାତ୍ରୀ ଓ ଅଞ୍ଚଳ ବାସିନ୍ଦାଙ୍କ ଦାବି କରିଛନ୍ତି।