ପରାଜୟ ପରେ ନବୀନଙ୍କ ବଡ଼ ନିଷ୍ପତ୍ତି

ବିଜେଡିରେ ହେବ ବଡ଼ ଧରଣର ଅଦଳବଦଳ । ରାଜ୍ୟ ସ୍ତରର ସବୁ ପଦାଧିକାରୀଙ୍କୁ ହଟାଇଲେ ନବୀନ । ଜିଲ୍ଲା ସ୍ତରର ନେତା ବଜାୟ ରଖିବେ ପଦ । ସଙ୍ଗଠନ ସମ୍ପାଦକ, ଉପସଭାପତି ଏଭଳି ଅନେକ ପଦବୀର ପଦାଧିକାରିଙ୍କୁ ହଟାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରରେ ଜାରି ନିର୍ଦ୍ଦେଶ କ୍ରମେ ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ ମୁଖପାତ୍ର ମଣ୍ଡଳୀ ଗଠନ କରାଯାଇଛି। ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ପ୍ରସନ୍ନ ଆଚାର୍ୟ୍ୟ, ପ୍ରମିଳା ମଲ୍ଲିକ, ଦେବୀ ମିଶ୍ର ପ୍ରମୁଖଙ୍କୁ ରାଜ୍ୟସ୍ତରୀୟ ମୁଖପାତ୍ର କରାଯାଇଛି।

ମୋଟ ୧୪ ଜଣ ନେତା ହୋଇଛନ୍ତି ରାଜ୍ୟସ୍ତରୀୟ ମୁଖପାତ୍ର। ତା’ଛଡ଼ା ସନ୍ତୃପ୍ତ ମିଶ୍ର ଏବଂ କଳିକେଶ ସିଂଦେଓଙ୍କ ସମେତ ୬ ନେତାଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। କିନ୍ତୁ ଜିଲ୍ଲାସ୍ତରୀୟ ପଦ ପଦବୀ ଅପରିବର୍ତ୍ତିତ ରହିଥିବା ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରଣବ ପ୍ରକାଶ ଦାସଙ୍କୁ ସଙ୍ଗଠନ ସମ୍ପାଦକ ପଦବିରୁ କାହିଁକି ହଟାଇଲେ ନବୀନ । ବବି ଦାସଙ୍କୁ ନେଇ ଚାଲିଥିବା ବିବାଦ ପରେ ବବିଙ୍କ ଉପରେ ବାଜିଛି କି ନବୀନଙ୍କ ଛାଟ । ନା ବବିଙ୍କୁ ନେଇ ଲାଗିରହିଥିବା ଅସନ୍ତୋଷକୁ ଚାପିବାକୁ ଏହା ଏକ ଗୋଟି ଚାଳନା । ସେପଟେ ଗଣମାଧ୍ୟମ ଦାୟିତ୍ୱରେ ଥିବା ମାନଓ ମଙ୍ଗରାଜଙ୍କୁ ବି ପଦରୁ ବିଦା କରିଛି ବିଜେଡି ।