ନବୀନଙ୍କ ବିକଶିତ ଓଡ଼ିଶାର ବିକଳ ଚେହେରା

ଜମୁଛି ଗଞ୍ଜେଇ, ବ୍ରାଉନ୍‌ ସୁଗାର ବଜାର..

ପ୍ରତି ଦୁଇଦିନରେ ଜଣେ ନିଶା ବେପାରୀ ଗିରଫ..

ଭୁବନେଶ୍ୱର: ପ୍ରତି ଦୁଇଦିନରେ ପୁଲିସ ବ୍ରାଉନ୍‌ ସୁଗାର ଅପରାଧୀଙ୍କୁ ଗିରଫ କରୁଛି । ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟରେ ବ୍ରାଉନ୍‌ ସୁଗାର ବେପାର । ବିକଶିତ ଓଡ଼ିଶାର ଏ କି କଦର୍ଯ୍ୟ ଚେହେରା । ରାଜ୍ୟର ଯୁବଗୋଷ୍ଠୀ କ୍ରମ ଧଳାଜହର କବଳକୁ ଚାଲିଯାଉଛନ୍ତି । ଏହା ପଛରେ ନବୀନବାବୁଙ୍କ ତୋଷାମଦକାରୀଙ୍କୁ ଦାୟୀ କରାଯାଉଛି ।

ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ପ୍ରତିପାଦିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ବୈପ୍ଲବିକ ପଦକ୍ଷେପ ଗ୍ରହଣ କରିଛନ୍ତି । ତା’ର ପ୍ରମାଣ ସ୍ୱରୂପ ବିଗତ ୨୩ ବର୍ଷ ଭିତରେ ଓଡ଼ିଶାରେ ଗଞ୍ଜେଇ ଓ ବ୍ରାଉନ୍‌ ସୁଗାର ବ୍ୟବସାୟ କ୍ରମେ ସହରର ପ୍ରତି ଗଳିକନ୍ଦି ଓ ଗ୍ରାମାଂଚଳର ପ୍ରତି ସାହିକୁ ବ୍ୟାପିବାକୁ ଲାଗିଛି । ଖୋଦ୍‌ ନବୀନବାବୁ ଜଣେ ମଦ୍ୟପ । ତେଣୁ ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ନିଶାସକ୍ତ କରି କାମ ଆଦାୟ କରିବା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ । ନବୀନବାବୁ ଜାଣନ୍ତି ସେ କେଉଁ ପ୍ରକାର ଶାସନ ଚଳାଇଛନ୍ତି । କେବଳ ସଚେତନ ଯୁବଗୋଷ୍ଠୀ ହିଁ ତାଙ୍କ ଶାସନ ପଦ୍ଧତିର ଭିତିରିଆ ପେଂଚ ଜାଣନ୍ତି । ଅତଏବ ଯୁବଗୋଷ୍ଠୀକୁ ନିଶାସକ୍ତ କରିଦେଲେ ଓଡ଼ିଶାକୁ ଶାସନ କରିବା ଏକଦମ୍‌ ସହଜ ।

ଗୋଟିଏ ପକ୍ଷରେ ରାଜ୍ୟର ଯୁବଗୋଷ୍ଠୀକୁ ବିକଳାଙ୍ଗ କରିବାର ଅଭିଳାଷ ଓ ଅନ୍ୟପଟେ ପୁଲିସ ସୁରକ୍ଷା ବଳୟ ଭିତରେ ଥାଇ ଅବାଧ ନିଶା କାରବାର ପରିଚାଳନା; ଏହି ଦୁଇଟିକୁ ବେଶ ସୁଚାରୂ ରୂପେ ଚଳାଇ ପାରିଥିବାରୁ ନବୀନ ପଟ୍ଟନାୟକ ଆଜି ଦେଶର ଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ।

ତଥ୍ୟ ମୁତାବକ ଚଳିତ ଅଗଷ୍ଟ ସୁଦ୍ଧା ରାଜ୍ୟରେ ଉକ୍ରଟ ନିଶା କାରବାରରେ ୧୧୦ ପ୍ରତିଶତ ବୃଦ୍ଧି ପାଇଛି । କେବଳ ଏପ୍ରିଲରୁ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟ ଅବକାରୀ ବିଭାଗ ବହୁ ସ୍ଥାନରେ ଚଢ଼ାଉ କରି ୮୩ କୋଟି ଟଙ୍କାର ଗଞ୍ଜେଇ ଓ ବ୍ରାଉନ୍‌ ସୁଗାର ଜବତ କରିପାରିଛନ୍ତି । ଗତବର୍ଷ ଅଗଷ୍ଟ ସୁଦ୍ଧା ୩୩୯୨ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରାଯାଇଥିଲା ବେଳେ ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୯୮୭୪ ଗ୍ରାମ ଜବତ କରାଯାଇଛି । ସେହିଭଳି ୨୦୨୧ ଅଗଷ୍ଟ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରୁ ୯୩୩୯ କିଲୋ ଗଞ୍ଜେଇ ଜବତ କରାଯାଇଥିଲା ବେଳେ ଚଳିତ ଅଗଷ୍ଟ ସୁଦ୍ଧା ୨୧,୬୯୦ କିଲୋ ଗଞ୍ଜେଇ ଜବତ କରାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ବେଆଇନ ଗଞ୍ଜେଇ ଓ ବ୍ରାଉନ୍‌ ସୁଗାର କାରବାର ମାମଲାରେ ପୁଲିସ ୨୯୫ ଜଣଙ୍କୁ ଗିରଫ କରିଥିଲା ବେଳେ ଚଳିତ ଅଗଷ୍ଟ ସୁଦ୍ଧା ୮୬୫ ଜଣଙ୍କୁ ଗିରଫ କରାଯାଇଛି ।

ରାଜ୍ୟକୁ ଅବାଧ ନିଶା କାରବାରରୁ ରକ୍ଷା କରିବା ପାଇଁ ନାମକୁ ମାତ୍ର ପୁଲିସ ପଦକ୍ଷେପ ଗ୍ରହଣ କରାଯାଉଛି । ଅବକାରୀ ବିଭାଗର ଚଢ଼ଉ ଜୋରଦାର କରିବା ପାଇଁ ପ୍ରତି ରେଞ୍ଜ ଅଫିସକୁ ଅଧିକରୁ ଅଧିକ ଗାଡ଼ି ଯୋଗାଇ ଦିଆଯିବା ପ୍ରତି ଗୁରୁତ୍ୱାରୋପ କରାଯାଇଛି ।

ଗତ ଶନିବାର ଦ୍ୱୈତନଗରୀ କମିଶନରେଟ୍‌ ପୁଲିସ ଜଣେ ଚର୍ଚ୍ଚିତ ବ୍ରାଉନ୍‌ ସୁଗାର ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ଅଧିକାଂଶ ସ୍ଥାନରେ ଅପରାଧୀମାନେ ଗଞ୍ଜେଇ ଓ ବ୍ରାଉନ୍‌ ସୁଗାର ପ୍ୟାକେଟ୍‌ ଫିଙ୍ଗି ପଳାୟନ କରୁଛନ୍ତି ବୋଲି ପୁଲିସ କହୁଛି । ସତରେ କ’ଣ ପୁଲିସକୁ ଦେଖି ଗଞ୍ଜେଇ ବେପାରୀ ଅବା ବ୍ରାଉନ୍‌ ସୁଗାର ବେପାରୀ ପଳାୟନ କରୁଛନ୍ତି । ଏହାର ଜବାବ ଖୋଦ୍‌ ପୁଲିସ ହିଁ ଭଲ ଭାବରେ ଦେଇପାରିବେ ।