ନବୀନଙ୍କ ‘ଗଛତଳେ ରୋଗୀସେବା’ ଯୋଜନା!

ପ୍ରାକୃତିକ ପରିବେଶ ଭିତରେ ରୋଗୀଙ୍କୁ ରଖି ସ୍ୱାସ୍ଥ୍ୟସେବା…

ଭୁବନେଶ୍ୱର: ପ୍ରାକୃତିକ ପରିବେଶ ଭିତରେ ରୋଗୀଙ୍କୁ ରଖି ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ସୁବନ୍ଦୋବସ୍ତ କରୁଚନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନା ମୁତାବକ ସରକାର ଜଙ୍ଗଲ ଭିତରେ ଉପଯୁକ୍ତ ସ୍ଥାନ ନିରୂପଣ କରି ସେଠାରେ ରୋଗୀଙ୍କୁ ରଖି ଚିକିତ୍ସା ସୁବିଧା ଉପଲବ୍ଧ କରିବେ । ଡାକ୍ତର, ନର୍ସ, କମ୍ପାଉଣ୍ଡର, ସଫେଇ କର୍ମଚାରୀଙ୍କଠାରୁ ଆରମ୍ଭ କରି ସବୁ କର୍ମଚାରୀ ଖୋଲା ଆକାଶ ତଳେ ରୋଗୀଙ୍କ ସେବା କରିବେ । ଭ୍ରାମ୍ୟମାଣ ଗାଡ଼ିରେ ଔଷଧପତ୍ରଠାରୁ ଆରମ୍ଭ କରି ରୋଗୀଙ୍କ ସେବା ପାଇଁ ଆବଶ୍ୟକ ସାମଗ୍ରୀ ଲଦି ‘ଗଛତଳେ ରୋଗୀସେବା’ ସ୍ଥାନକୁ ନିଆଯିବ ।

ଏହି ଯୋଜନା ଫଳରେ ଆଉ ହସ୍ପିଟାଲ କୋଠାର ଆବଶ୍ୟକତା ପଡ଼ିବ ନାହିଁ । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏହି ଯୋଜନା ଲୋକପ୍ରିୟ ହେବ ବୋଲି ମୁଖ୍ୟମନ୍ତ୍ରୀ, ତାଙ୍କ ବିଶ୍ୱସ୍ତ ସଚିବ ଓ ମୁଖ୍ୟ ଶାସନ ସଚିବ ଆଶା ପ୍ରକଟ କରିଛନ୍ତି ।

ଗଛତଳେ ରୋଗୀସେବା ଯୋଜନା କେବେଠାରୁ ଆରମ୍ଭ କରାଯିବ । ସେଥିପାଇଁ ଉପଯୁକ୍ତ ସମୟକୁ ସମସ୍ତେ ଅନାଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ ଏକ ବଡ଼ ଧରଣର ରୋଗକୁ ଅପେକ୍ଷା କରିଛି । କୌଣସି ମାରାତ୍ମକ ରୋଗ ଦାଉରେ ପଡ଼ି ଶହେରୁ ଦେଢ଼ଶହ ଲୋକ ମୃତ୍ୟୁମୁଖରେ ପଡ଼ିବା ପରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଉଚିତ ହେବ ।