ଏମ୍‌କେସିଜି ସୁପରସ୍ପେଶାଲିଟି କୋଠା ଛାତରେ ସେନ୍‌ସର!

ଛାତର ସିଲିଂ ପ୍ରତି ଲୋକଙ୍କ ମନରେ ବଢୁଛି କୌତୁହଳ

ସିଲିଂ ଖସୁଛି ମାତ୍ର ରୋଗୀଙ୍କର କିଛି କ୍ଷତି ହେଉନି

ବ୍ରହ୍ମପୁର: ଉପରବାଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଖୁବ୍‌ ମେହେରବାନ୍‌ ଅଛନ୍ତି । ଆମେ ଉପରବାଲାଙ୍କ ଉପରେ ବିଶ୍ୱାସ କରିବାର କାରଣ ହେଉଛି ତାଙ୍କ ଜିଲ୍ଲାର ଲୋକପ୍ରିୟ ଏମ୍‌କେସିଜି ହସ୍ପିଟାଲର ସୁପରସ୍ପେଶାଲିଟି କୋଠାର ଛାତରୁ ବାରମ୍ବାର ସିଲିଂ ଖସିଲେ ମଧ୍ୟ ରୋଗୀମାନଙ୍କର କିଛି କ୍ଷତି ହେଉନାହିଁ । ସିଲିଂ ପାଇଁ ବ୍ୟବହାର ହୋଇଥିବା ଉପାଦାନଗୁଡ଼ିକ ସତେଯେପରି ମଣିଷଙ୍କ ଭଳି ସମ୍ବେଦନଶୀଳ । କୋଠାରେ ରୋଗୀ ଓ ଅନ୍ୟ ଲୋକମାନେ ଚଲାବୁଲା କରୁଥିଲେ ମଧ୍ୟ ସେମାନଙ୍କ ଉପରେ ସିଲିଂ ପଡୁନାହିଁ । ରୋଗୀଙ୍କ ନିକଟରେ ପଡୁଛି ମାତ୍ର ତାଙ୍କ ଉପରେ ପଡୁନି । ୟାକୁ ଦଇବଙ୍କ ଆଶୀର୍ବାଦ କୁହାଯିବନି ତ ଆଉ କ’ଣ କୁହାଯାଇପାରେ ।

କିଛି ବର୍ଷ ତଳେ ରଣପୁର ଅନ୍ତର୍ଗତ ସୁଆଁସାହି ଅଙ୍ଗନବାଡ଼ି କେନ୍ଦ୍ରର ଛାତ ଖସିବାରୁ କିଛି କୋମଳମତି ପିଲା ଆହତ ହୋଇଥିଲେ । ତେଣୁ ନବୀନ ସରକାର ଆଉ ଅଙ୍ଗନବାଡ଼ି କୋଠା ତିଆରି ନକରି ପିଲାମାନଙ୍କ ଶିକ୍ଷା ପାଇଁ ଗଛ ଲଗାଉଛନ୍ତି । ଯାହା ଫଳରେ ପ୍ରାକୃତିକ ପରିବେଶରେ ଗଛତଳେ ବସି ପିଲାମାନେ ନିର୍ଭୟରେ ପାଠ ପଢ଼ିପାରିବେ । ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମସ୍ତିଷ୍କ ମଧ୍ୟ ମୃଦୁ ବାୟୁ ସଂସ୍ପର୍ଶରେ ଥଣ୍ଡା ରହିବ । ମୁଣ୍ଡ ଗରମ ରହିଲେ ସିନା ନିରୀହ ପିଲାମାନଙ୍କୁ ପିଟି ପକାଇବେ । ଗଛମୂଳେ ବସି ପାଠ ପଢ଼ାଇଲେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶାନ୍ତ ମିଜାଜରେ ରହି ପାଠ ପଢ଼ାଇବେ ।
ଠିକ୍‌ ସେହିପରି ସ୍ୱାସ୍ଥ୍ୟକ୍ଷେତ୍ରରେ ନବୀନ ସରକାର ସୁରମ୍ୟ ଅଟ୍ଟାଳିକା କରି ଛାତରେ ସମ୍ବେଦନଶୀଳ ସିଲିଂ ଲଗାଇଛନ୍ତି । ସାଧାରଣ ଲୋକମାନେ କହିଛନ୍ତି ଯେ ଛାତରେ ସମ୍ବେଦନଶୀଳ ସିଲିଂ ବ୍ୟବସ୍ଥା ହିଁ ନବୀନ ପଟ୍ଟନାୟକ ସରକାରଙ୍କ ଅମଳର ଅତ୍ୟାଧୁନିକ ବ୍ୟବସ୍ଥା । ଅନ୍ୟ ସବୁ ମୁଖ୍ୟମନ୍ତ୍ରୀଙ୍କ ଅମଳରେ ତିଆରି ଡାକ୍ତରଖାନା କୋଠାରୁ ବିଜୁଳି ପଙ୍ଖା, ସିଲିଂ ଖସି ରୋଗୀମାନେ ମୃତାହତ ହୋଇଥିବାର ଖବର ଅଛି । ମାତ୍ର ଏମ୍‌କେସିଜି ସୁପରସ୍ପେଶାଲିଟି ହସ୍ପିଟାଲ ଛାତରୁ ସିଲିଂ ଖସୁଥିଲେ ମଧ୍ୟ ରୋଗୀ କି ସେମାନଙ୍କ ସଂପର୍କୀୟ କ୍ଷତିଗ୍ରସ୍ତ ହୋଇନାହାନ୍ତି ।

କୋଠା ମରାମତି କାମ ଚାଲିଥିବାରୁ ଦୁର୍ବଳ ସ୍ଥାନରୁ ସିଲିଂ ଖସୁଛି ବୋଲି ନିର୍ଲଜଙ୍କ ଭଳି ହସିହସି କହିଛନ୍ତି ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର । ୧୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କୋଠା ରୋଗୀମାନଙ୍କୁ ସ୍ୱତନ୍ତ୍ର ସେବା ପ୍ରଦାନ କରିବ ବୋଲି ଆଶା କରାଯାଉଥିଲା । ମାତ୍ର ପରିସ୍ଥିତି ଏପରି ହୋଇଛି ଯେ ରୋଗୀମାନେ ଉକ୍ତ କୋଠାରେ ପଶିବାକୁ ଡରୁଛନ୍ତି । କେତେବେଳେ କୋଉଠାରୁ କେତେ ବଡ଼ ସିଲିଂ ଖସିବ, ତାହା ଠଉରାଇବା କଷ୍ଟକର ହୋଇପଡ଼ିଛି । ସରକାର ନୂଆ କୋଠା ଛାତରେ ସେନ୍‌ସର୍‌ ଲଗାଇଲେ, ରୋଗୀମାନେ ଆଗୁଆ ସୂଚନା ପାଇ କୋଠା ବାହାରକୁ ସହଜରେ ପଳାଇପାରିବେ । ଠିକ୍‌ ଯେପରି ରେଳବାଇ ଲେଭଲ୍‌ କ୍ରସିଂ ନିକଟରେ ସାଇରନ୍‌ ବାଜିବା ମାତ୍ରେ ଲୋକମାନେ ଜାଣିପାରୁଛନ୍ତି ଯେ ଟ୍ରେନ୍‌ ଆସିବାର ସମୟ ହୋଇଗଲାଣି । ଫାଟକ ପକାଇ ଦିଆଯିବ ।

ଅଗଷ୍ଟ ୨୬ ତାରିଖରେ ଓଟି କଂପ୍ଲେକ୍ସର ୟୁରୋଲୋଜି ବିଭାଗ ଓଟିରେ ସର୍ଟ ସର୍କିଟ୍‌ କାରଣରୁ ନିଅାଁ ଲାଗିଥିଲା । ରୋଗୀମାନେ ଅଳ୍ପକେ ରକ୍ଷା ପାଇଥିଲେ । ମାତ୍ର ଓଟିର ବହୁ ଯନ୍ତ୍ରପାତି ନଷ୍ଟ ହୋଇଥିଲା । ସେପ୍ଟେମ୍ବର ୮ ତାରିଖ ପ୍ରତ୍ୟୁଷରେ ସେହି ବିଭାଗର ଛାତରୁ ସିଲିଂ ଖସିଲା । ୯ ତାରିଖରେ ଏଣ୍ଡୋକ୍ରିନୋଲୋଜି ବିଭାଗ ଇନ୍‌ଡୋର ଛାତରୁ ସିଲିଂ ଖସିଥିଲା । ଏବେ ଦୁର୍ବଳ ରହିଥିବା ସ୍ଥାନର ମରାମତି ଚାଲିଛି ଯାହା ଫଳରେ ୧୫ ତାରିଖରେ ବଡ଼ ବଡ଼ ସିଲିଂ ଖସିଥିଲା । ପୂର୍ତ ବିଭାଗ କହିଛି, ଏଣ୍ଡୋକ୍ରିନୋଲୋଜି ବିଭାଗର ଗୋଟିଏ ପଟ ଦୁର୍ବଳ ରହିଛି । ତେଣୁ ସେ ପଟେ ଶ୍ରମିକ ଲଗାଇ ସିଲିଂ ଖସାଇବା ଅନାବଶ୍ୟକ । ସିଲିଂଗୁଡ଼ିକ ଆପେ ଆପେ ଖସିଯିବ ।