ଈଶ୍ୱରଙ୍କ ସଂସ୍ଥା ନୁହେଁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ

ନବୀନଙ୍କ ଶାସନରେ ତଳଠୁ ଉପର ସବୁ ମାୟାରେ ବାୟା…

ଭୁବନେଶ୍ୱର: ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ମନୋଭାବ ରଖି ନବୀନ ପଟ୍ଟନାୟକ ସରକାର ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ (ଓଏସ୍‌ଏସ୍‌ସି) ଉପରେ ଦୃଢ଼ ଆସ୍ଥା ପ୍ରକଟ କରିଛନ୍ତି । ମାତ୍ର ଉକ୍ତ ସଂସ୍ଥାର ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତିରେ ହାତ ରଖି ଦୃଢ଼ତାର ସହ କହି ପାରିବେ ନାହିଁ ବୋଲି ରାଷ୍ଟ୍ରୀୟ ପରିବର୍ତନ ଦଳ କହିଛି । ଆରପିଡି କହିଛି, ରାଜ୍ୟ ସରକାରଙ୍କର ସବୁ ବିଭାଗ ଏବେ ଫାଇଭ୍‌-ଟି ମୁଖ୍ୟ ଭିକେ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଛି । ପାଣ୍ଡିଆନଙ୍କ ଆଶୀର୍ବାଦ ବଳରେ ଗଢ଼ି ଉଠିଥିବା ‘ମୋ ସ୍କୁଲ’ଗୁଡ଼ିକର ଭିତିଭୂମି କେତେ ଦୃଢ଼ ତାହା ଲୋକମାନେ ଦେଖି ସାରିଛନ୍ତି । ଏବେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାର ସ୍ୱଚ୍ଛତାକୁ ମଧ୍ୟ ଲୋକମାନେ ଅନୁଭବ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ସରକାରୀ କର୍ମଚାରୀଙ୍କଠାରୁ ସ୍ୱଚ୍ଛତା ଆଶା କରିବା ବୃଥା । ‘ଖଜୁରୀ ଗଛର କି’ ଗୁଣ ଗାଇବି’ ନୀତିରେ ଯାହା ଉପରକୁ ଗୋଡ଼ିଟିଏ ପକାଇବ, ତାହା ଶରୀରରୁ ଦୁର୍ନୀତିର ଗନ୍ଧ ବାହାରିବ । ଏପରି ସ୍ଥଳରେ ଓଏସ୍‌ଏସ୍‌ସି ସେହି ଗନ୍ଧରୁ କିପରି ବାଦ୍‌ ପଡ଼ିବ? ଆରପିଡି ମତରେ ଓଏସ୍‌ଏସ୍‌ସି ସଂସ୍ଥା ଯଦି ଈଶ୍ୱରଙ୍କ ଦ୍ୱାରା ଗଠିତ ସଂସ୍ଥାଟିଏ ହୋଇଥାନ୍ତା; ତା’ଠାରୁ ସ୍ୱଚ୍ଛତା ପାଇବାର ଆଶା କରାଯାଇପାରେ । ମାତ୍ର ଗଣତନ୍ତ୍ରର ରାଜାଙ୍କ ପ୍ରତିନିଧିମାନଙ୍କ ହାତିଗଢ଼ା ସଂସ୍ଥାଠାରୁ ସ୍ୱଚ୍ଛତା ଆଶା କରାଯାଇ ନପାରେ ।

ଯେଉଁ ରାଜ୍ୟର କ୍ଷମତାସୀନ ଦଳର ମୁଖିଆ ଓ ତାଙ୍କର ଅନୁଗତ ବିଧାୟକ ଓ ମନ୍ତ୍ରୀମାନେ ସୁରାସାକିଙ୍କ ସାନ୍ନିଧ୍ୟ ପାଇବାକୁ ବ୍ୟାକୁଳ । ସେମାନଙ୍କଠାରୁ ସ୍ୱଚ୍ଛତାର ଶାସନ ପାଇବା ମୁସ୍କିଲ । ରାଜ୍ୟରୁ ପ୍ରକାଶିତ ଗଣମାଧ୍ୟମକୁ ଏବେ ଅର୍ଚ୍ଚନା ନାଗଙ୍କ ମାୟାଜାଲ କବଳିତ କରିଛି । ସକାଳୁ ଉଠି ଖବରକାଗଜ ଉପରେ ଦୃଷ୍ଟି ପକାଇଲେ, ଅର୍ଚ୍ଚନା ନାଗଙ୍କ ମାୟାରେ ପଡ଼ି ଛଟପଟ ହେଉଥିବା ରାଜନେତା, ପ୍ରଶାସକ ଓ ବ୍ୟବସାୟୀଙ୍କ ରୋଚକପୂର୍ଣ୍ଣ କାହାଣୀ ଦେଖିବାକୁ ମିଳିବ । କୁହାଯାଉଛି, ଅର୍ଚ୍ଚନାଙ୍କ ଗ୍ରାହକଙ୍କ ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ କରିଡ଼ରର ବହୁ ଲୋକଙ୍କ ନାମ ଶୁଣାଯାଉଛି । ଅର୍ଚ୍ଚନାଙ୍କ ମାୟାଜାଲରେ ଓଏସ୍‌ଏସ୍‌ସିର କୌଣସି ବଡ଼ ଅଧିକାରୀ ବା କର୍ମଚାରୀ ପଡ଼ି ନଥିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ଦୃଢ଼ତାର ସହ କହିପାରିବେ କି?
କହିବା ବାହୁଲ୍ୟ, ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକର ଶିକ୍ଷକ ନିଯୁକ୍ତି ଦାୟିତ୍ୱ ଏବେ ଓଏସ୍‌ଏସ୍‌ସି ମୁଣ୍ଡାଇଛି । ଗଣଶିକ୍ଷା ବିଭାଗ ସୂଚନା ମୁତାବକ, ଟିଜିଟିରେ ୧୯୭୦ ପଦବି ଖାଲି ଥିଲାବେଳେ ଟିଜିଟି ପିସିଏମରେ ୧୪୧୯, ସିବିଜେଡ୍‌ରେ ୧୨୦୫, ହିନ୍ଦିରେ ୧୩୫୨, ସଂସ୍କୃତରେ ୭୨୩, ପିଇଟିରେ ୮୪୧, ଊର୍ଦ୍ଦୁରେ ୨୪ ଓ ତେଲୁଗୁରେ ୬ଟି ଶିକ୍ଷକ ପଦବି ଖାଲିପଡ଼ିଛି । ଖାଲି ପଦବି ପୂରଣ ପାଇଁ ଓଏସ୍‌ଏସ୍‌ସି ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ।

ଏଥର ନିଯୁକ୍ତି ପ୍ରକ୍ରିୟାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ରହିବ । ମାତ୍ର କେତେ ପ୍ରତିଶତ ସଂରକ୍ଷଣ ରହିବ, ସେ ସଂପର୍କରେ କୌଣସି ନିଷ୍ପତି ନିଆଯାଇନି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସେ ସଂପର୍କରେ ନିଷ୍ପତି ନେବ । ପୂର୍ବରୁ ନବୀନ ପଟ୍ଟନାୟକ ସରକାର ଓଏସ୍‌ଏସ୍‌ସି ଆନୁକୂଲ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀ ଚୟନ କରିବା ପାଇଁ ନିଷ୍ପତି ନେଇଥିଲେ ମାତ୍ର କୌଣସି ନାକୌଣସି କାରଣରୁ ତାହା ଗଡ଼ି ଚାଲିଥିଲା । ଏବେ ଗଣଶିକ୍ଷା ବିଭାଗ ପୁଣିଥରେ ଓଏସ୍‌ଏସ୍‌ସି ଉପରେ ଆସ୍ଥା ପ୍ରକଟ କରିଛି ।