ନୀତୀଶଟା ଭାରି କପାଳିଆ; ଆରଜେଡି ସଂକଟକୁ ଜିତିଗଲା

ପାଟନା: ମଉକା ଦେଖି ଦଳ ଛାଡ଼ିବା ଓ କୁଣ୍ଢେଇବା କଳାଟି ଜେଡିୟୁ ନେତା ନୀତୀଶ କୁମାରଙ୍କୁ ଭଲ ଭାବରେ ଜଣା । ଖାସ୍‌ ସେଇଥିପାଇଁ ବିହାର ଜନତାଙ୍କୁ ବଶୀଭୂତ କରି ବେଶ କିଛି ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନଟାକୁ ଜାବୁଡ଼ି ରଖିପାରିଛନ୍ତି । ଭାରତୀୟ ରାଜନୀତିରେ ଦୁଇଜଣ ବାଦୁଡ଼ି ପ୍ରଜାତିର ରାଜନେତା ହେଉଛନ୍ତି ରାମବିଳାସ ପାଶୱାନ ଓ ନୀତୀଶ କୁମାର । ଦୁହେଁ ବିହାର ନିବାସୀ ।

ସୋମବାର ଦିନ ବିହାର ବିଧାନସଭାରେ ଆରଜେଡିର ସବୁ ରଣନୀତିକୁ ବିଫଳ କରି ଆସ୍ଥା ଭୋଟରେ ଜିତିଗଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

ସୂଚନା ମୁତାବକ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଆସ୍ଥା ଜିତିବା ପାଇଁ ନୀତୀଶ କୁମାରଙ୍କୁ ୧୨୨ଟି ବିଧାୟକଙ୍କ ସମର୍ଥନ ଦରକାର ଥିଲା । ନୀତୀଶଙ୍କ ଭାଗରେ ୧୨୫ଟି ଭୋଟ ପଡ଼ିଛି । ମାତ୍ର ୧୫ ଦିନ ତଳେ ଆରଜେଡିକୁ ଏଡ଼ାଇ ଦେଇ ବିଜେପିକୁ ଜାବୁଡ଼ି ଧରିଥିଲେ ନୀତୀଶ ।

ଉପା’କୁ ଇଣ୍ଡିଆ କରି ଦେଇ ତାକୁ ରାହୁଲଙ୍କ ହାତରେ ଧରାଇ ଦେଇ ନୀତୀଶ ଏବେ ବିଜେପି ଗୋଠରେ । ଶୁଣିବାକୁ ମିଳୁଛି, ଇଣ୍ଡିଆ ଗୋଠରେ କଂଗ୍ରେସ ତା’ର ମୁରବି ପଣିଆକୁ ନୀତୀଶ ହଜମ କରି ପାରିଲେନି । ନୀତୀଶ-କେଜ୍ରିୱାଲ, ନୀତୀଶ-ମମତାଙ୍କ ଭିତରେ ବୁଝାମଣା ଠିକ୍‌ ହୋଇ ପାରିଲାନି । ଇଣ୍ଡିଆ ମେଂଟରୁ ସେଭଳି କିଛି ଲାଭ ହାସଲ କରିବାର ବାସ୍ନା ନୀତୀଶଙ୍କ ନାକରେ ବାଜିଲାନି । ତେଣୁ ବିଜେପି ଗୋଠକୁ ପଳାଇବା ଉଚିତ ମଣିଲେ ।