ଚାଷୀଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ

ସୁବର୍ଣ୍ଣପୁର(ଏସ୍ ନ୍ୟୁଜ): ଚାଷୀଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ଆସିଛି। ରାଉରକେଲା ଓ ବଲାଙ୍ଗିର ପରେ ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଚାଷୀଙ୍କ ନାଁରେ ଜିଏସ୍‌ଟି ଠକେଇ ସାମନାକୁ ଆସିଛି ।

ଚାଷୀ ଜଣଙ୍କ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ଭୀମଟିକିରା ପଞ୍ଚାୟତ ସାଲେପାଲି ଗାଁର ଚାଷୀ ନବୀନ ବାଗ। ଯାହାଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକିଥିବା ନେଇ ଅଭିଯୋଗ ହୋଇଛି । ଋଣ କରିବା ପାଇଁ ୮ ମାସ ତଳେ ନବୀନ ଧାନବସା ଗାଁର ଦିଲ୍ଲୀପ ମେହେରଙ୍କୁ ବ୍ୟାଙ୍କ ଆକାଉଣ୍ଟରୁ ଆରମ୍ଭ କରି ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ବିଦ୍ୟୁତ୍ ବିଲ୍ ସହ ସମସ୍ତ କାଗଜ ପତ୍ର ଦେଇଥିଲେ । ତା ପରେ ସାଲେପାଲି ଗାଁରେ ତାଙ୍କ ନାଁରେ ‘ବାଗ୍ ଏଣ୍ଡ ବାଗ୍’ ନାଁରେ ଏକ କଂପାନୀ ଚାଲୁଛି ବୋଲି ଭବାନୀପାଟଣା ଜିଏସ୍‌ଟି ଅଫିସ ଜାଣିବାକୁ ପାଇଥିଲା । ଏହାପରେ ଜିଏସ୍‌ଟି ଅଧିକାରୀମାନେ ଆସି ଚଢ଼ଉ କରିବା ସହ ନବୀନଙ୍କୁ ସମନ କରିଥିଲେ ।

ତେବେ ଘଟଣା ସମ୍ପର୍କରେ ନବୀନ ରାମପୁର ଥାନାକୁ ଯାଇ ଅଭିଯୋଗ କରିଛନ୍ତି । ନବୀନ ଗୋଟିଏ ଏକର ଜମିରେ ଚାଷ ସହ ରାଜମିସ୍ତ୍ରୀ ଭାବେ କାମ କରି ପରିବାର ଚଳାଉଛନ୍ତି । ହେଲେ ତାଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ଆସିବା ପରେ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଛି ।