ଅଧ୍ୟକ୍ଷାଙ୍କ ବହିଷ୍କାର ଦାବି କଲା ଏନୟୁବିସି

‘ଜାତିଆଣ ଆକ୍ଷେପ’ ଶିକ୍ଷକ ସମାଜକୁ କଳଙ୍କ…

ଭୁବନେଶ୍ୱର: ଶିକ୍ଷାଦାନ କରୁଥିବା ଅଧ୍ୟାପନାମଣ୍ଡଳୀ ଚିର ନମସ୍ୟ । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ସମ୍ପ୍ରଦାୟଠାରୁ ଉଦ୍ଧ୍ୱର୍ରେ ରହି ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନେ ପିଲାମାନଙ୍କୁ ପଢ଼ାଇବା ଉଚିତ । ସଂକୀର୍ଣ୍ଣମନା ଗୁରୁ, ଗୁରୁମା’ ଶିକ୍ଷକ ସମାଜର କଳଙ୍କ ବୋଲି ରାଷ୍ଟ୍ରୀୟ ପଛୁଆ ଶ୍ରେଣୀ, ଅନୁସୂଚୀତ ଜାତି/ଜନଜାତି ଓ ସଂଖ୍ୟାଲଘୁ ମହାସଂଘ କହିଛି ।

ସୁନ୍ଦରଗଡ଼ର ଏକ ଆବାସିକ ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଙ୍କ ପ୍ରତି ଅଧ୍ୟକ୍ଷା ମହୋଦୟ ଯେଭଳି ଆଚରଣ ପ୍ରଦର୍ଶନ କରିଛନ୍ତି । ତାହା ଶିକ୍ଷକ ସମାଜ ପ୍ରତି ଅପମାନ । ଅନୁସୂଚୀତ ଜାତି ଓ ଜନଜାତି ଊନ୍ନୟନ ବିଭାଗ ପକ୍ଷରୁ ପ୍ରତିଷ୍ଠିତ ବିଦ୍ୟାଳୟରେ ଏଭଳି ହୀନ ମାନସିକତା ରଖୁଥିବା ଅଧ୍ୟକ୍ଷଙ୍କୁ ତୁରନ୍ତ ବହିଷ୍କାର ଦାବି କରିଛନ୍ତି ମହାସଂଘର ରାଜ୍ୟ ସଭାପତି ସୀତାରାମ ବେହେରା ।

ସୂଚନାଯୋଗ୍ୟ, ଏସ୍‌ଏସ୍‌ଡି ଆବାସିକ ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟରେ ୭୨ ଜଣ ଛାତ୍ରୀ ପାଠ ପଢୁଛନ୍ତି । ସେମାନଙ୍କୁ ନିମ୍ନମାନର ଖାଦ୍ୟ, ଝାଡୁ ମାରିବା, ଘାସ କାଟିବାକୁ ବାଧ୍ୟ କରୁଥିବା, ପାଠ ବୁଝି ନପାରିଲେ ଟିସି ଧରି ଚାଲିଯାଅ ବୋଲି କଟାକ୍ଷ କରିବା ସହିତ ଅସୁସ୍ଥ ଛାତ୍ରୀଙ୍କୁ ହସ୍ପିଟାଲ ନେବାକୁ ଅନିଚ୍ଛା ଭଳି ଅଭିଯୋଗ ଆଣି ଅନ୍ତେବାସୀମାନେ ଜିଲ୍ଲାପାଳ ଓ ଗୋଷ୍ଠୀ ଊନ୍ନୟନ ଅଧିକାରୀଙ୍କ ନିକଟକୁ ଲିଖିତ ଅଭିଯୋଗ ପଠାଇଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ତଦନ୍ତ କରି ଫେରିଯିବା ପରେ ଛାତ୍ରୀଙ୍କ ଉପରେ ଅଧ୍ୟକ୍ଷାଙ୍କ ନିର୍ଯାତନାର ମାତ୍ରା କ୍ରମେ ବଢ଼ି ଯାଇଥିଲା । ଏପରିକି ଜ୍ୱରରେ ପୀଡ଼ିତ ଜଣେ ଛାତ୍ରୀଙ୍କୁ ହସ୍ପିଟାଲ ନେବାକୁ ଦ୍ୱିଧା ପ୍ରକାଶ କରିଥିଲେ । ଗଭୀର ଅସନ୍ତୋଷ ପ୍ରକାଶ କରି ଛାତ୍ରୀମାନେ ହଷ୍ଟେଲରୁ ବାହାରି ଚାଲିଚାଲି ଜିଲ୍ଲାପାଳଙ୍କ ନିକଟକୁ ଯାଉଥିଲେ । ଅବଶ୍ୟ ପୁଲିସର ହସ୍ତକ୍ଷେପ କାରଣରୁ ହଷ୍ଟେଲକୁ ଫେରି ଆସିଥିଲେ । ମାତ୍ର ଦୋଷୀ ଅଧ୍ୟକ୍ଷାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏନୟୁବିସି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ ନିକଟରେ ଧାରଣାରେ ବସିବ ବୋଲି ଚେତାବନୀ ଦେଇଛି ।