ରାଜ୍ୟରେ ୭.୧% ତାଲିମ୍‌ ପ୍ରାପ୍ତ ବେରୋଜଗାର

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ପିରିୟଡିକ ଲେବର ଫୋର୍ସ ସର୍ଭ(ପିଏଲଏଫଏସ) ୨୦୧୭-୧୮ ଆଧାରରେ ଓଡ଼ିଶାରେ ଆଇଟିଆଇ ତାଲିମ ପ୍ରାପ୍ତ ମୋଟ ଯୁବକ ଯୁବତୀଙ୍କ ମଧ୍ୟରୁ ୭.୧% ବେରୋଜଗାର ଅଛନ୍ତି । ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନ ଉପରେ ସଂସଦରେ ଲିଖିତ ଆକାରରେ ଏହି ଉତ୍ତର ରଖିଛନ୍ତି କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପିଏଲ୍‌ଏଫଏସ ସର୍ଭେ ଆଧାରରେ ବିଭିନ୍ନ ରାଜ୍ୟରେ ତାଲିମ୍‌ପ୍ରାପ୍ତ ବେରୋଜଗାରଙ୍କ ସଂଖ୍ୟା କେତେ ଏ ସମ୍ପର୍କରେ ଡ. ପଟ୍ଟନାୟକ ପ୍ରଶ୍ନ କରିଥିଲେ । ଜବାବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ତଥ୍ୟ ପ୍ରଦାନ କରିଛନ୍ତି । ଏହି ସର୍ଭେ ଆଧାରରେ ଓଡ଼ିଶାର ଗ୍ରାମାଞ୍ଚଳରେ ମୋଟ୍‌ ତାଲିମ୍‌ପ୍ରାପ୍ତ ବେରୋଜଗାରଙ୍କ ସଂଖ୍ୟା ୬.୯% ଏବଂ ସହରାଞ୍ଚଳରେ ୮.୩% । ଗ୍ରାମାଞ୍ଚଳରେ ୭.୪% ଯୁବକ ଏବଂ ୫.୩% ଯୁବତୀଙ୍କୁ କର୍ମନିଯୁକ୍ତି ମିଳିପାରିନି । ସେହିଭଳି ସହରାଞ୍ଚଳରେ ୭.୩% ଯୁବକ, ୧୨.୭% ଯୁବତୀ ବେରୋଜଗାର ଅଛନ୍ତି । ଏମାନେ ସମସ୍ତେ ତାଲିମପ୍ରାପ୍ତ । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ମିଶାଇଲେ ରାଜ୍ୟରେ ୭.୩% ତାଲିମ୍‌ପ୍ରାପ୍ତ ଯୁବକ ଏବଂ ୬.୩% ଯୁବତୀ ମୋଟ ଉପରେ ବେକାରୀ ସମସ୍ୟା ଭୋଗୁଛନ୍ତି । ଏହି ତଥ୍ୟ ଆଧାରରେ ଓଡ଼ିଶାର ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ତାଲିମପ୍ରାପ୍ତ ବେରୋଜଗାରଙ୍କ ସଂଖ୍ୟା ଅଧିକ । ବିଶେଷ କରି ଗ୍ରାମାଞ୍ଚଳର ମହିଳାଙ୍କ ତୁଳନାରେ ସହରାଞ୍ଚଳର ତାଲିମପ୍ରାପ୍ତ ମହିଳାମାନେ ବେଶୀ ବେକାରୀ ସମସ୍ୟାର ଶିକାର ହୋଇଛନ୍ତି ।