ଗତ ଦୁଇବର୍ଷରେ ଓଡ଼ିଶାକୁ ମିଳିଛି ୧୩ ଲକ୍ଷ ମେଟ୍ରିକ ଟନ ୟୁରିଆ

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ଗତ ଦୁଇ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ମୋଟ ୧୩.୩୮ ଲକ୍ଷ ମେଟ୍ରିକ୍‌ ଟନ୍‌ ୟୁରିଆ ସାର ଯୋଗାଇଛନ୍ତି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ସଂସଦରେ ଲିଖିତ ଆକାରରେ ଏହି ତଥ୍ୟ ରଖିଛନ୍ତି କେନ୍ଦ୍ର ରସାୟନ ଓ ସାର କ୍ୟାବିନେଟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ବର୍ଷ ୨୦୧୯-୨୦ ଏବଂ ୨୦୨୦-୨୧ରେ ବିଭିନ୍ନ ରାଜ୍ୟକୁ କେତେ ପରିମାଣରେ କେନ୍ଦ୍ର ସରକାର ସାର ଯୋଗାଇଛନ୍ତି ଏନେଇ ଶ୍ରୀ ପାତ୍ର ପ୍ରଶ୍ନ ରଖିଥିଲେ । ଜବାବରେ ମନ୍ତ୍ରୀ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କରାଯାଇଥିବା ସାରର ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଏହି ଦୁଇବର୍ଷରେ ମୋଟ ୮୦୧.୬୫ ଲକ୍ଷ ମେଟ୍ରିକ ଟନ୍‌ ୟୁରିଆ, ୨୭୦.୭୩ ଲକ୍ଷ ମେଟ୍ରିକ ଟନ ଡିଏପି, ୧୩୪ ଲକ୍ଷ ମେଟ୍ରିକ ଟନ ଏମଓପି ଏବଂ ୩୦୧.୨୧ ଲକ୍ଷ ମେଟ୍ରିକ ଟନ୍‌ ଏନପିକେଏସ୍‌ ସାର ଯୋଗାଇଛନ୍ତି । ଓଡ଼ିଶାକୁ ମଧ୍ୟ ଦୁଇବର୍ଷରେ ୧୩.୩୮ ଲକ୍ଷ ମେଟ୍ରିକ ଟନ ୟୁରିଆ, ୫.୪୪ ଲକ୍ଷ ମେଟ୍ରିକ୍‌ ଟନ ଡିଏପି, ୩.୫ ଲକ୍ଷ ମେଟ୍ରିକ ଟନ ଏମ୍‌ଓପି ଏବଂ ୬.୮୪ ଲକ୍ଷ ମେଟ୍ରିକ୍‌ ଟନ ଏନପିକେଏସ୍‌ ସାର କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି । ରାଜ୍ୟର ଆବଶ୍ୟକତାଠୁ ଅଧିକ ସାର କେନ୍ଦ୍ର ସରକାର ଯୋଗାଇଥିବାର ତଥ୍ୟ ପ୍ରଦାନ କରିଛନ୍ତି ।