ଶୀଘ୍ର ତଦନ୍ତ ଶେଷ କର: ହାଇକୋର୍ଟ

ଭୁବନେଶ୍ୱର(ଏସ୍ ନ୍ୟୁଜ): ହାଇକୋର୍ଟରେ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ଆଜି ଶୁଣାଣି ହୋଇଛି । ସିବିଆଇ ତଦନ୍ତ ନେଇ ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ କ୍ରାଇମବ୍ରାଂଚକୁ ଏକ ମାସର ସମୟ ଦେଇଛନ୍ତି । ଏଥିସହ ଏକ ମାସ ଭିତରେ କ୍ରାଇମବ୍ରାଂଚ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଆଦିତ୍ୟଙ୍କ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚନ କରିବା ପାଇଁ ତଦନ୍ତ ଦାୟିତ୍ୱ ସିବିଆଇକୁ ଦେବାପାଇଁ ପତ୍ନୀ ବିଦ୍ୟାଶ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାକୁ ଆଧାର କରି ଯଥାଶୀଘ୍ର ତଦନ୍ତ ଶେଷ କରିବାକୁ କ୍ରାଇମବ୍ରାଞ୍ଚକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଛି । ଏହି ମାମଲାର ପରିବର୍ତ୍ତୀ ଶୁଣାଣି ଆସନ୍ତା ମାସରେ ହେବ । ଜୁଲାଇ ୭ ତାରିଖ ଦିନ ଲିଙ୍ଗରାଜ ଷ୍ଟେସନ ନିକଟ ରେଳଧାରଣା ଉପରେ ଆଦିତ୍ୟ ଦାଶଙ୍କ ମୃତଦେହ ମିଳିଥିଲା ।

ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ଥିବା ଆଦିତ୍ୟ ଦାଶ ମୋଟିଭେସନାଲ ସ୍ପିକର ଭାବେ ଖୁବ୍ ଲୋକପ୍ରିୟ ଥିଲେ। ଗତ ଜୁନ୍ ମାସରେ କଟକର ଖପୁରିଆରେ ସେ ବିଦ୍ୟାଶ୍ରୀଙ୍କୁ ବିବାହ କରିଥିଲେ। ବିବାହର ମାସେ ନ ପୂରୁଣୁ ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି ।