ସବୁ କ୍ଷେତ୍ରରେ ଦେଶ ପାଇଁ ଆଦର୍ଶ ହୋଇଛି ଓଡିଶା : ମୁଖ୍ୟମନ୍ତ୍ରୀ

୭୭ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ

ଭୁବନେଶ୍ବର (ସାକ୍‌ସୀ ନ୍ୟୁଜ୍) : ଆମ ମହାନ ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ନିଜ ସମ୍ବୋଧନରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ପବିତ୍ର ସ୍ଵାଧୀନତା ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ । ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାଏକ, ଶହୀଦ ବିର୍ସା ମୁଣ୍ଡା, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ମା’ ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀମାନଙ୍କ ନେତୃତ୍ଵରେ ଆମେ ସ୍ଵାଧୀନତା ହାସଲ କରିଛୁ । ଏହି ଅବସରରେ ସେମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଭାରତର ସ୍ଵାଧୀନତା ସଂଗ୍ରାମ ବିଶ୍ଵ ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା । ସାରା ବିଶ୍ଵର ଗରିବ ଜନତା, ଶୋଷିତ ଜନତାଙ୍କ ପାଇଁ ଏ ସଂଗ୍ରାମ ଏକ ପ୍ରେରଣା । ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସାର ମନ୍ତ୍ର ଥିଲା ସେମାନଙ୍କ ଶକ୍ତି । ଜନତାର ଶକ୍ତି ହେଉଛି ଶ୍ରେଷ୍ଠ ଶକ୍ତି । ଆମ ସ୍ଵାଧୀନତା ସଂଗ୍ରାମ ଏହାର ସବୁଠାରୁ ବଡ ଉଦାହରଣ । ଭାରତ ବିଶ୍ଵର ଏକ ପ୍ରମୁଖ ଶକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛି । ବିଭିନ୍ନ କ୍ଷେତ୍ରରେ ବିକାଶ ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଚନ୍ଦ୍ରଯାନ-୩ ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ଗୌରବ ବୃଦ୍ଧି କରିଛି ।

ଓଡିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି । ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଆଦି ବିକାଶର ସବୁ କ୍ଷେତ୍ରରେ ଏହି ରୂପାନ୍ତର ନୂଆ ଆଶା ସୃଷ୍ଟି କରିଛି । ରାଜ୍ୟର ସବୁ ଲୋକ– ଧନୀ, ଗରିବ, ମଧ୍ୟବିତ୍ତ, ସମସ୍ତେ ଏ ରୂପାନ୍ତରରେ ସାମିଲ ହୋଇଛନ୍ତି । ସବୁ ଅଞ୍ଚଳ, ସବୁ ବର୍ଗର ଲୋକ ଏହାର ସୁଫଳ ପାଉଛନ୍ତି । ଆମର ୫ଟି ରୂପାନ୍ତର କାର୍ଯ୍ୟକ୍ରମ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି । ସେହିପରି ଆମର ‘ମୋ ସରକାର’ କାର୍ଯ୍ୟକ୍ରମ ଶାସନରେ ଲୋକମତର ଗୁରୁତ୍ଵ ବୃଦ୍ଧି କରିଛି । ଓଡିଶାର ଅର୍ଥନୀତି ମଜବୁତ୍ ହେଉଛି । ଗରିବୀ କମିଛି । ଓଡିଶାକୁ ଏବେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସୁଛି । ଯୁବକମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ଆସୁଛି ।

ଗରିବ ଲୋକର କଲ୍ୟାଣ ମୋ ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଚାଷୀ, ଶ୍ରମିକ ତଥା ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ କଲ୍ୟାଣ ପାଇଁ ମୋ ସରକାର କାମ କରୁଛି । ନିକଟରେ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଆଉ ୫୦ଟି ଗୋଷ୍ଠୀର ଶ୍ରମିକମାନଙ୍କୁ ଏବେ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ସାମିଲ କରାଗଲା । ମଧୁବାବୁ ପେନ୍‌ସନ୍ ଯୋଜନାରେ ମଧ୍ୟ ଆଉ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଗଲା । ଓଡିଶାର ବିକାଶରେ ସମସ୍ତଙ୍କର ଭାଗୀଦାର ଅଛି । ଅଧିକାର ଅଛି । ସମସ୍ତଙ୍କୁ ସାଥୀରେ ନେଇ ଆମେ ଆଗକୁ ବଢୁଛୁ |

ମା’ମାନେ ହେଉଛନ୍ତି ଆମର ବିକାଶର ପ୍ରତିଛବି । ମା’ମାନଙ୍କ ସଶକ୍ତିକରଣ ଓଡିଶାର ସଶକ୍ତିକରଣ । ମିଶନ ଶକ୍ତି ଆଜି ମା’ମାନଙ୍କ ରୂପାନ୍ତରଣର ଇଂଜିନ୍ ହୋଇଛି । ସେମାନେ ଏବେ ବିକାଶର ପରବର୍ତ୍ତୀ ସ୍ତରରେ ପହଞ୍ଚିଛନ୍ତି । ଉଦ୍ୟୋଗୀ ହେବା ରାସ୍ତାରେ ଯାତ୍ରା ଆରମ୍ଭ କରିଛନ୍ତି । ମା’ମାନେହିଁ ଏକ ସମୃଦ୍ଧ ଓଡିଶା, ଏକ ନୂଆ ଓଡିଶାର ଆଧାର ହୋଇଛନ୍ତି । ୪୩୭୩ ପଂଚାୟତରେ ବ୍ୟଙ୍କିଙ୍ଗ ସୁବିଧା ପାଇଁ ନିଷ୍ପତ୍ତି ନିଆଯାଇଛି। ଯାହା ଗାଁ ଗୁଡିକରେ ବ୍ୟଙ୍କିଙ୍ଗ ସୁବିଧା ଯୋଗାଇବ। ପ୍ରତି ଜୀବନ ମୂଲ୍ୟବାନ। ଏ କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଫଳ ସେବା ଦେଉଛି। ଉତ୍ତମ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ ହୋଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ରୂପାନ୍ତର ହୋଇଛି।ଚାଷୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି।ବୀମା ପ୍ରମିୟମ ସରକାର ବହନ କରୁଛନ୍ତି। ଏଥି ସହିତ ଏ ଲକ୍ଷ ଯୁବକମାନଙ୍କୁ ନୂଆ ଓଡ଼ିଶା ଯୋଜନା ରେ ତାଲିମ ଦିଆଯିବ। ମୋ ଓଡିଶା ଏବେ ସବୁ କ୍ଷେତ୍ରରେ ଦେଶ ପାଇଁ ଆଦର୍ଶ ହୋଇଛି । ବିପର୍ଯ୍ୟୟ ପରିଚାଳନା ହେଉ ବା ମହିଳା ସଶକ୍ତିକରଣ, ସ୍ଵାସ୍ଥ୍ୟସେବା ହେଉ ବା ଶିକ୍ଷା, ଭିତ୍ତିଭୂମି, ସବୁ କ୍ଷେତ୍ରରେ ମୋ ଓଡିଶା ଏବେ ମଡ଼େଲ ହୋଇଛି ।

ଆମର ପ୍ରତି ଗାଁ, ପ୍ରତି ପଞ୍ଚାୟତ ଓଡିଆ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡିଆ ଜାତିର ସବୁଠାରୁ ବଡ ପରିଚୟ । ମହାପ୍ରଭୁହିଁ ଆମ ସଂସ୍କୃତିର କେନ୍ଦ୍ରବିନ୍ଦୁ । ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ପ୍ରସାର ସହ ପ୍ରତି ଗାଁରେ ଏକ ଆକାଂକ୍ଷୀ ଓଡ଼ିଶାର ଭିଭି ପକାଇବା ପାଇଁ ଆମେ ଚାରି ହଜାର କୋଟି ଟଙ୍କାର ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ମୋ ଓଡିଶା ଏକ ନୂଆ ଓଡିଶା, ସଶକ୍ତ ଓଡ଼ିଶା ହେବା ରାସ୍ତାରେ ଆଗକୁ ବଢ଼ୁଛି । ଆସନ୍ତୁ, ରୂପାନ୍ତରର ଏ ଯାତ୍ରାରେ ଆମେ ସମସ୍ତେ ସାମିଲ ହେବା । ଓଡ଼ିଶାକୁ ଆଗକୁ ନେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉଲେଖାଯୋଗ୍ୟ, ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରିଛି ପୁଲିସ। ସମ୍ପୂର୍ଣ୍ଣ ଉତ୍ସବ ସ୍ଥଳକୁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ଫୋର୍ସ ଓ ଶହେ ଅଫିସର, ଏଥି ସହିତ ଡଗ୍ ସ୍କ୍ବାର୍ଡ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌-କ୍ୟାଚର୍‌ ଟିମ୍‌ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି। ସମାରୋହ ପାଇଁ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଭୁବନେଶ୍ବର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନାରେ ଅତିରିକ୍ତ ଡିସିପି, ଏସିପି, ଇନ୍ସପେକ୍ଟର, ସବ୍ଇନ୍ସପେକ୍ଟର୍‌ ସୁରକ୍ଷା ବ୍ୟବସ୍ଥା ପରିଚାଳନା ଦାୟିତ୍ୱରେ। ଟ୍ରାଫିକ୍‌ ପରିଚାଳନା ପାଇଁ ୩ ସ୍ତରରେ ବନ୍ଦୋବସ୍ତ ମଧ୍ୟ ହୋଇଛି।