ରେଳ ପ୍ରକଳ୍ପ ପାଇଁ ଓଡିଶାକୁ ମିଳିଲା ୩୭୧୨ କୋଟି

ଭୁବନେଶ୍ୱର(ଏସ୍ ନ୍ୟୁଜ‌):୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍‌ରେ ରାଜ୍ୟର ରେଳ ପ୍ରକଳ୍ପ ନିମନ୍ତେ ଓଡ଼ିଶା ସରକାର ୭୨୦୦କୋଟି ଟଙ୍କା ଦାବି କରିଥିଲେ ମଧ୍ୟ ମାତ୍ର ୩୭୧୨କୋଟି ଟଙ୍କା ଓଡିଶାକୁ ମିଳିଛି। ୨୦୨୦-୨୧ ଆର୍ଥିକ ବର୍ଷର ମୂଳ ବଜେଟରେ ଓଡ଼ିଶାର ରେଳ ପ୍ରକଳ୍ପ ପାଇଁ ୪୩୭୩ କୋଟି ଟଙ୍କା ମିଳିଥିଲା। କରୋନା ମହାମାରୀର ପ୍ରଭାବ କେନ୍ଦ୍ର ବଜେଟ ଉପରେ ପଡ଼ିଥିବା ବେଳେ ଓଡ଼ିଶାର ରେଳ ପ୍ରକଳ୍ପ ପାଇଁ ଆବଣ୍ଟିତ ଅର୍ଥକୁ ମଧ୍ୟ ପ୍ରଭାବିତ କରିଛି।

ରେଳ ମନ୍ତ୍ରଣାଳୟର ସୂଚନା ଅନୁସାରେ, ପୂର୍ବତଟ ରେଳପଥ ପାଇଁ ୨୦୨୧-୨୨ ବଜେଟରେ ମୋଟ ୩୭୧୨ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଏଥିରେ ଓଡ଼ିଶାରେ ରେଳପ୍ରକଳ୍ପ ପାଇଁ ରେଳପଥ ନବୀକରଣରେ ୬୦୦କୋଟି, ନୂଆ ରେଳମାର୍ଗ ନିର୍ମାଣ ନିମନ୍ତେ ମାତ୍ର ୧୦.୬୦କୋଟି ଟଙ୍କା, ବ୍ରିଜ୍ ଓ ଟନେଲ କାମ ପାଇଁ ୫୫କୋଟି, ସଡ଼କ ସୁରକ୍ଷା ଓ ଅଣ୍ଡର ବ୍ରିଜ୍ ନିର୍ମାଣ ପାଇଁ ୪୦୦.୫୬କୋଟି, ଡବଲ ଲାଇନ ବିଛାଇବା ପାଇଁ ୧୪୮.୭୫କୋଟି ଟଙ୍କା, ଲେଭଲକ୍ରସିଂ କାର୍ଯ୍ୟ ପାଇଁ ୨୬.୮୯କୋଟି ଟଙ୍କା ,ଯାତ୍ରୀ ସୁବିଧା ନିମନ୍ତେ ୧୧୩.୭୧ କୋଟି ଟଙ୍କା, ସିଗନାଲ ଓ ଟେଲିକମ୍ୟୁନିକେସନ୍ ପାଇଁ ୯୮.୭୭କୋଟି ଟଙ୍କା ବ୍ୟୟବରାଦ ହୋଇଛି।