ଆଜି ବିଶ୍ୱ କର୍କଟ ଦିବସ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଜି ହେଉଛି ବିଶ୍ୱ କର୍କଟ ଦିବସ । ଫେବ୍ରୁଆରି ୪ ତାରିଖରେ ବିଶ୍ୱସ୍ତରରେ କର୍କଟ ରୋଗର ସତର୍କତା ପାଇଁ ଏହି ଦିବସ ପାଳନ କରାଯାଉଛି । ଓଡ଼ିଶାରେ କର୍କଟ ରୋଗ ଧୀରେ ଧୀରେ ଉଦ୍‌ବେଗଜନକ ସ୍ଥିତି ଆଡ଼କୁ ଗତି କରୁଛି । ପ୍ରତିବର୍ଷ ପ୍ରାୟ ୩୫ରୁ ୫୦ ହଜାର ନୂତନ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ୩୫/୩୬ ହଜାର ଓ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଘରୋଇ ହସ୍ପିଟାଲର ରୋଗୀଙ୍କୁ ମିଶାଇ ଏହି ସଂଖ୍ୟା ପ୍ରାୟ ୫୦ ହଜାରକୁ ବୃଦ୍ଧି ପାଉଛି । ପ୍ରତିବର୍ଷ ଯେତିକି ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି, ତହିଁରୁ ଏକ ତୃତୀୟାଂଶ ରୋଗୀଙ୍କ କର୍କଟରେ ମୃତ୍ୟୁ ହୋଇଯାଉଛି । ବଳକା ଦୁଇ ତୃତୀୟାଂଶ ରୋଗୀଙ୍କ ଚିକିତ୍ସା ଚାଲୁରହିଛି । ଏଥିରୁ ମଧ୍ୟ ଅନେକ ରୋଗୀ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ସାଧାରଣ ଜୀବନ ବଞ୍ଚୁଛନ୍ତି । ରାଜ୍ୟରେ ଏବେ ପ୍ରାୟ ଦେଢ଼ଲକ୍ଷ କର୍କଟ ସର୍ଭାଇଭର୍‌ (ଚିହ୍ନଟ ଓ ସୁସ୍ଥ) ବ୍ୟକ୍ତି ରହିଛନ୍ତି ବୋଲି ଅନୁମାନ କରାଯାଉଛି ।