ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ସୁସ୍ଥ ହେଉଛନ୍ତି

ଭୁବନେଶ୍ୱର,(ଏସ୍ ନ୍ୟୁଜ): କୋଭିଡରେ ସଂକ୍ରମିତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିବା ବିଜେପି ନେତା ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ସୁସ୍ଥ ହେଉଛନ୍ତି । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ଯଦି ସ୍ୱାସ୍ଥ୍ୟାବସ୍ଥା ଏହିଭଳି ଉନ୍ନତି ଘଟେ, ତେବେ ଦୁଇ/ଚାରି ଦିନ ଭିତରେ ଶ୍ରୀନାୟକ ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି । ଏନେଇ ଭୁବନେଶ୍ୱର ଏମ୍ସର ସୁପରିଟେଣ୍ଡେଂଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।
ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଏବେ ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ବିଗତ ୧୫ ଦିନ ହେବ ପ୍ରଦୀପ୍ତଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ରହିଛି । ସେ ଏବେ ଚଲାବୁଲା କରିବା ସହିତ ଫୋନରେ ଘର ଲୋକଙ୍କ ସହ କଥା ମଧ୍ୟ ହେଉଛନ୍ତି । ଏବେ ସେ କୌଣସି ପ୍ରକାର ଲାଇଫ୍ ସପୋର୍ଟ ସିଷ୍ଟମ ସହ ନାହାନ୍ତି । ତେଣୁ ଆଇସିୟୁ ବାହାରେ ରହିଛନ୍ତି । ହସ୍ପିଟାଲର ସାଧାରଣ ୱାର୍ଡରେ ବିରୋଧୀ ଦଳର ନେତା ଏବେ ରହିଛନ୍ତି । ତାଙ୍କୁ ତରଳ ଓ ଅର୍ଦ୍ଧ ତରଳ ଖାଦ୍ୟ ଦିଆଯାଉଛି । ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତୀ ଆସୁଥିବାରୁ ତାଙ୍କୁ ଚାରି ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତ ।
ଉଲ୍ଲେଖଥାଉକି, ଏପ୍ରିଲ ମାସେ ୧୯ ତାରିଖରେ ପ୍ରଦୀପ୍ତ କୋଭିଡରେ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏପ୍ରିଲ ୨୦ରେ ଭୁବନେଶ୍ୱର ଏମ୍ସରେ ତାଙ୍କୁ ଭର୍ତି କରାଯାଇଥିଲା । ଏହାପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପ୍ରଦୀପ୍ତଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ଏମିତିକି ଆବଶ୍ୟକ ପଡ଼ିଲେ ନୂଆଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଥିଲା । ତେବେ ଏହି ସମୟରେ ଏକ ଚାରି ଜଣିଆ ଟିମ୍ ତିଆରି କରାଯାଇ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାର ମନିଟରିଂ କରାଯାଉଥିଲା । ଯେଉଁଥିରୁ ଏମ୍ସ ଭୁବନେଶ୍ୱରର ଦୁଇ ଜଣ ଏବଂ ଏସସିବି ମେଡିକାଲର ଦୁଇ ଡାକ୍ତର ମିଶି ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଥିଲେ । ଏବେ ପ୍ରଦୀପ୍ତ ଆରୋଗ୍ୟ ହେଉଥିବା ଜଣାପଡ଼ିଛି ।