ନବୀନବାବୁଙ୍କୁ ହଟାଇବାର କୌଶଳ ପାଣ୍ଡିଆନଙ୍କୁ ଜଣା

ରାଜ୍ୟ ରାଜନୀତିକୁ ଆସୁଛନ୍ତି ଦ୍ୱିତୀୟ ପାଣ୍ଡିଆନ…

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦବୀରୁ ହଟାଇବାର ଶକ୍ତିଶାଳୀ ମନ୍ତ୍ର ପାଣ୍ଡିଆନଙ୍କୁ ଜଣା । ବିଜେଡିର ଛୋଟକର୍ମୀଙ୍କଠାରୁ ବରିଷ୍ଠ ନେତାମାନଙ୍କ ଦୃଷ୍ଟିରେ ଯେଉଁ ପାଣ୍ଡିଆନ୍‌ ପଡୁଛନ୍ତି, ସେ ପାଣ୍ଡିଆନଙ୍କୁ ବାଦ ଦେଲେ, ଆଉ ଜଣେ ପାଣ୍ଡିଆନ ଓଡ଼ିଶା ରାଜନୀତିକୁ ଆସିବାର ଯୋଜନା କରୁଛନ୍ତି । ସଂକ୍ଷେପରେ କହିବାକୁ ଗଲେ, ନବୀନବାବୁଙ୍କୁ ଲୋକପ୍ରିୟ କରିବା ପାଇଁ ରାଜ୍ୟର ଦୁଇଜଣ ପାଣ୍ଡିଆନ୍‌ କାମ କରୁଛନ୍ତି । ପ୍ରଥମ ପାଣ୍ଡିଆନଙ୍କୁ ରାଜ୍ୟର ଚାରିକୋଟି ଜନତା ଭଲଭାବରେ ଜାଣନ୍ତି । ମାତ୍ର ଦ୍ୱିତୀୟ ପାଣ୍ଡିଆନଙ୍କୁ କେବଳ ମୁଖ୍ୟମନ୍ତ୍ରୀ ଜାଣନ୍ତି । ସରକାରଙ୍କ ସବୁ ବିଭାଗର ମୁଖିଆମାନେ ଯୋଉ ପାଣ୍ଡିଆନଙ୍କ ଫୋନକୁ ଗୁରୁବାକ୍ୟ ମଣନ୍ତି, ସେ ପାଣ୍ଡିଆନ ଆଜି ରାଜ୍ୟର ସାଢେ଼ ଚାରିକୋଟି ଜନତାଙ୍କ ମଉଡ଼ମଣି । ନବୀନବାବୁଙ୍କ ପାଖେ ପାଖେ ଯୋଡ଼ହସ୍ତରେ ଠିଆ ହୋଇଥିବା ପାଣ୍ଡିଆନ ଯେ ରାଜ୍ୟର ବିକାଶ ରଥକୁ ଦ୍ରୁତଗତିରେ ଆଗେଇ ନେଉନାହାନ୍ତି । ବିଜେଡି ମୁଖିଆଙ୍କ ଆଡ଼କୁ ଆସୁଥିବା ସବୁ ଅସ୍ତ୍ରର ପ୍ରଥମ ଆଘାତକୁ ସାହସର ସହ ସାମ୍ନା କରୁଛନ୍ତି ।

ସେଇଥିପାଇଁ ତ ସେ ନବୀନ ପଟ୍ଟନାୟକଙ୍କ ପ୍ରିୟପାତ୍ର । ବିଜେଡିର ସବୁ ବିଧାୟକ ଓ ମନ୍ତ୍ରୀମାନେ ଗୋଟିଏ ପଟ ତରାଜୁରେ ତ ଅନ୍ୟ ତରାଜୁରେ ଏକା ପାଣ୍ଡିଆନ୍‌ । ନବୀନବାବୁଙ୍କ ଇଛା ବିନା କୋଉ ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ଉଁ ଚୁଁ କହନ୍ତିନି । ହେଲେ ପାଣ୍ଡିଆନଙ୍କ ଇଶାରା ବିନା ନବୀନବାବୁ ପାଣି ଟୋପେ ପିଅନ୍ତି ନାହିଁ । ଏଥିରୁ ଆପଣମାନେ ସହଜରେ ବୁଝି ଯାଇଥିବେ ଯେ ରାଜ୍ୟ ଶାସନରେ କାହା ପଲା ଭାରି?
ସକାଳୁ ସକାଳୁ କେଶ କାଟିବା ମତଲବରେ ଗୋଟିଏ ସେଲୁନରେ ପହଂଚିଲି । ମୋତେ ଦେଖି ସେଲୁନ ମାଲିକ ‘ସକାଳ’ ଖବର କାଗଜଟିକୁ ମୋ ଆଡ଼କୁ ବଢ଼ାଇ ଦେଉଦେଉ କହିଲେ, ‘ନମସ୍କାର ଭାଇ, ଟିକେ ପାଣ୍ଡିଆନଙ୍କ ପେପର ଉପରେ ଦୃଷ୍ଟି ପକାଉଥାନ୍ତୁ । ଜଣେ ଗରାଖ ଅଛନ୍ତି, ମାତ୍ର ତିନିମିନିଟ୍‌ ଲାଗିବ ସାଫ୍‌ କରିବା ପାଇଁ । ଆପଣଙ୍କ ପାଳି ପଡ଼ିଯିବ ।’ ପେପରଟିକୁ ପଢ଼ିବା ପାଇଁ ଆମେ ଯେତେ ଆଗ୍ରହୀ ନଥିଲୁ । ସେଲୁନ ମାଲିକଙ୍କ ମୁହଁରୁ ପାଣ୍ଡିଆନଙ୍କ ପେପର ଶବ୍ଦ ଶୁଣି ଆମେ ତଟସ୍ଥ ହୋଇଗଲୁ । କୌତୁହଳକୁ ମନରେ ଚାପି ପଚାରିଲୁ, ‘ମାନେ ପାଣ୍ଡିଆନ୍‌ ଚାକିରି ଛାଡ଼ି ପେପର ବାହାର କଲେଣି ନା କ’ଣ?’ ମୋ ପ୍ରଶ୍ନ ଶୁଣି ସେଲୁନ ମାଲିକ କହିଲେ, ‘ଆଜ୍ଞା ସେଇଠି ତ ମଜା । ସରକାରୀ ଚାକିରିରେ ଥାଇ ଯୋଉ ଲୋକ ଖବରକାଗଜ ଚଲାଇପାରୁଛି । ସେ ଲୋକ କ’ଣ ଆପଣ ଆମ ଭଳି ଲୋକ । ନବୀନବାବୁଙ୍କୁ ନଚାଉଥିବା ଲୋକଟି । ତାକୁ ଏମିତି ସେମିତି ଭାବନ୍ତୁ ନାହିଁ ।’ ଆମେ ତ ରିପୋର୍ଟର । ତେଣୁ ରିପୋର୍ଟର ଠାଣିରେ ପଚାରିଲୁ, ‘ଆଛା, ତା’ହେଲେ ଆପଣମାନେ ଗୋଟିଏ ଦୁର୍ବଳ ଲୋକକୁ ଭୋଟ ଦେଇ କ୍ଷମତାକୁ ପଠାଇଛନ୍ତି ଯେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ କଥାରେ ଉଠବସ ହଉଛନ୍ତି ଠିକ୍‌ ଆପଣ ଯେମିତି ଭାଉଜଙ୍କ କଥାରେ ନାଚୁଛନ୍ତି ।’
ତହୁଁ ସେଲୁନ ମାଲିକ ଜବାବ ଦେଲେ, ‘ଭାଇ, ସବୁ ରୋଗର ଔଷଧ ଆପଣଙ୍କ ପାଖରେ । ଆମ ପାଟିରୁ କାହିଁକି ଶୁଣିବାକୁ ଚାହୁଁଛ? ଭୋଟ କ’ଣ ଆମେ ଏକା ଦେଇଛୁ । ସାରା ଓଡ଼ିଶା ଭୋଟ ଦେଲେ, ନବୀନବାବୁ ମୁଖ୍ୟମନ୍ତ୍ରୀ ହେଲେ । ମୁଖ୍ୟମନ୍ତ୍ରୀ ହେଲା ପରେ ସେ କାହା କଥାରେ ନାଚିବେ, ସେଟା ତାଙ୍କ ଇଛା । ଆମର କାଳିଆ ଟଙ୍କା ଜିନ୍ଦାବାଦ । ଟଙ୍କିକିଆ ଚାଉଳ ଜିନ୍ଦାବାଦ । ଆମେ ଜାଣିଛୁ, ଆମ ପିଲା ପାଠ ପଢ଼ିଲେ, ସେମାନଙ୍କ ପାଇଁ ଚାକିରି ନାହିଁ । ବଂଚିଥିବା ଯାଏ କାଳିଆ ଟଙ୍କା, ଟଙ୍କିକିଆ ଚାଉଳ ମିଳୁ । ମରିଗଲା ପରେ ପିଲାଙ୍କ କଥା ସେଇ କାଳିଆ ବୁଝିବେ ।’ ତାଙ୍କ ସାଙ୍ଗରେ ଆଉ ଅଧିକ ଯୁକ୍ତି କରିବା ଅନୁଚିତ ଭାବି ନିରବ ରହିଲି । ହେଲେ ମନେମନେ ଭାବୁଥିଲି, ‘ସକାଳ’ ପେପରଟା ପାଣ୍ଡିଆନଙ୍କର କେମିତି ହେଲା? ଖବରକାଗଜର ମାଲିକ, ପ୍ରକାଶକ, ମୁଦ୍ରାକର କି ସମ୍ପାଦକ ସ୍ଥାନରେ ପାଣ୍ଡିଆନଙ୍କର ନାଁ ନାହିଁ । ସେଲୁନ ମାଲିକ ତାକୁ ପାଣ୍ଡିଆନଙ୍କ ପେପର କହୁଛନ୍ତି । ତା’ ଅର୍ଥ ଏ ହକରମାନେ ଅଧିକ କମିଶନ ଲୋଭରେ ଅଧିକ ସଂଖ୍ୟକ ‘ସକାଳ’ ଖବରକାଗଜ ବିକିବା ପାଇଁ ପାଣ୍ଡିଆନଙ୍କ ନାଁ ପେପର ବୋଲି ଗାଇ ବୁଲୁନାହାନ୍ତି ତ?

ଆପଣମାନେ ସେଲୁନ ମାଲିକଙ୍କ କଥାରେ ହଜି ମୋ କଥିତ ଦ୍ୱିତୀୟ ପାଣ୍ଡିଆନକୁ ଭୁଲିଗଲେ କି? ଭୁଲନ୍ତୁନି, ଖୁବଶୀଘ୍ର ରାଜ୍ୟବାସୀଙ୍କ ସାମ୍ନାକୁ ଦ୍ୱିତୀୟ ପାଣ୍ଡିଆନ୍‌ ଆସୁଛନ୍ତି । ଇଏ ସେଇ ପାଣ୍ଡିଆନ୍‌ ଯେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଡଙ୍ଗାକୁ କୂଳରେ ଲଗାଇଛନ୍ତି । ଆମେ ପ୍ରଥମରୁ କହିଥିଲୁ, ନବୀନବାବୁଙ୍କୁ ହଟାଇବାର କୌଶଳ କେବଳ ପାଣ୍ଡିଆନଙ୍କୁ ଜଣା । ଏବେ କହୁଛୁ, ପ୍ରଥମ ପାଣ୍ଡିଆନଙ୍କ ସବୁ ଗୋଟିକୁ ଅଟକାଇବାର କୌଶଳ ଦ୍ୱିତୀୟ ପାଣ୍ଡିଆନଙ୍କୁ ଜଣା ।