ଓଡ଼ିଶାରେ ଚାରିଟି ଥାକରେ ସରିବ ମତଦାନ

ଭୁବନେଶ୍ୱର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଚାରିଟି ଥାକରେ ଶେଷ ହେବ ।  ନିର୍ବାଚନ ଆୟୋଗ ପକ୍ଷରୁ ଘୋଷିତ ତାରିଖ ମୁତାବକ ରାଜ୍ୟରେ ମେ’ ୧୩ ତାରିଖରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଜୁନ ପହିଲାରେ ଶେଷ ହେବ । ଜୁନ ୪ ତାରିଖରେ ଭୋଟ ଗଣତି କରାଯିବ । ଫଳରେ ଶନିବାରଠାରୁ ସାରା ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି ।

ପ୍ରଥମ ଥାକ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଚାରିଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ମତଦାନ ପାଇଁ ଏପ୍ରିଲ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଓ ସେଗୁଡ଼ିକର ସୀମା ସରହଦ ଭିତରେ ଥିବା ୨୮ଟି ବିଧାନସଭା ଆସନ ପାଇଁ ଏପ୍ରିଲ ୧୮ ତାରିଖରୁ ୨୫ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବ । ଏପ୍ରିଲ ୨୬ ତାରିଖରେ ନାମାଙ୍କନ ପତ୍ର ଯାଂଚ, ଏପ୍ରିଲ ୨୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ । ମେ’ ୧୩ ତାରିଖରେ ମତଦାନ ଗ୍ରହଣ କରାଯିବ ।

ଦ୍ୱିତୀୟ ଥାକ: ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ଆସନ ଓ ସେଗୁଡ଼ିକର ସୀମା ସରହଦ ଭିତରେ ରହିଥିବା ୩୫ଟି ବିଧାନସଭା ଆସନ ପାଇଁ ଏପ୍ରିଲ ୨୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ମେ’ ୩ ତାରିଖରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବ । ମେ’ ୪ ତାରିଖରେ ନାମାଙ୍କନ ଯାଂଚ, ମେ’ ୨୬ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ତାରିଖ ମେ’ ୨୦ ଧାର୍ଯ୍ୟ କରାଯାଇଛି ।

ତୃତୀୟ ଥାକ: ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନ ଓ ସେଗୁଡ଼ିକର ଅନ୍ତର୍ଭୁକ୍ତ ୪୨ଟି ବିଧାନସଭା ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହୋଇ ମେ’ ୬ ତାରିଖରେ ଶେଷ ହେବ । ମେ’ ୭ ତାରିଖରେ ନାମାଙ୍କନ ଯାଂଚ, ମେ’ ୯ ତାରିଖ ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯିବ । ମେ’ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ କରାଯିବ ।

ଚତୁର୍ଥ ଥାକ: ଚତୁର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂପୁର ଲୋକସଭା ଓ ତା’ ଭିତରେ ରହିଥିବା ୪୨ଟି ବିଧାନସଭା ଆସନ ପାଇଁ ମେ’ ୭ ତାରିଖରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ ମେ’ ୧୪ ତାରିଖରେ ଶେଷ ହେବ । ମେ’ ୧୫ ତାରିଖରେ ନାମାଙ୍କନ ପତ୍ର ଯାଂଚ ଓ ମେ’ ୧୭ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଦିବସ । ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଜୁନ ୧ ତାରିଖ ଧାର୍ଯ୍ୟ କରାଯାଇଛି ।