ହାଜତ ମୃତ୍ୟୁ ଘଟଣା: ଦାଦାଙ୍କୁ ଛାଡିଲା ପୋଲିସ,ମିଳିନି ମୃତ ରମେଶଙ୍କ ବାପା ମା’ଙ୍କ ପତ୍ତା


ପୁରୀ (ଏସ୍ ନ୍ଯୁଜ ): ପୁରୀ ହାଜତ ମୃତ୍ୟୁକୁ ନେଇ ରାଜ୍ୟର ରାଜନୀତି ସରଗରମ ହେଉଥିବା ବେଳେ ବିଧାନସଭାରେ ମଧ୍ୟ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଝଡ। କେ. ରମେଶ ନାମକ ଯୁବକଙ୍କର ପୋଲିସ ହେପାଜରରେ ମୃତ୍ୟୁ ହେବା ପରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେବାରୁ ପୋଲିସ ତାଙ୍କ ବାପା, ମା’ ଓ ଦାଦାଙ୍କୁ ଗୁରୁବାର ରାତିରେ ଉଠାଇ ନେଇଥିବା ଦାଦା କେ. ଆରୟାଙ୍କୁ ଛାଡ଼ି ଦେଇଥିବା ଜଣାଯାଇଛି। ତେବେ ରମେଶଙ୍କ ବାପା ଓ ମାଆ ଏଯାଏ ଘରକୁ ଫେରି ନାହାନ୍ତି ।

ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଏମାନଙ୍କୁ ନେଇ ପ୍ରାୟ ଦୁଇ ଦିନ ଧରି ଅଟକ ରଖିଥିଲା। ଏପରିକି ସେମାନଙ୍କୁ କେଉଁଠି ରଖାଯାଇଥିଲା ଏବଂ ସେମାନେ କିପରି ଅଛନ୍ତି, ତାକୁ ନେଇ ପରିବାର ଲୋକଙ୍କୁ କୌଣସି ସୂଚନା ଦିଆଯାଇ ନ ଥିଲା। ସେଥିପାଇଁ ଘରେ କାନ୍ଦବୋବାଳି ପଡ଼ିଥିଲା । ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେବା ପରେ ପୁଲିସ୍‌ ମୃତ କେ. ରମେଶଙ୍କ ଦାଦାଙ୍କୁ ଛାଡ଼ି ଦେଇଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ପୁରୀ ହାଜତ ମୃତ୍ୟୁ ଘଟଣାରେ ବିଭିନ୍ନ ଆଡ଼ୁ ଚାପ ପଡ଼ିବା ପରେ ଶେଷରେ ପୁରୀ ଏସ୍‌ପି ଅଖିଳେଶ୍ୱର ସିଂଙ୍କୁ ଗତକାଲି ବଦଳି କରାଯାଇଛି। ତାଙ୍କୁ କଟକ ସ୍ଥିତ ହେଡକ୍ୱାର୍ଟର୍ସକୁ ବଦଳି କରାଯାଇଥିବା ବେଳେ ସମ୍ବଲପୁର ଏସପି କେ.ବିଶାଳ ସିଂଙ୍କୁ ପୁରୀ ଏସପି ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି।