ବିଛିନ୍ନତାବାଦୀଙ୍କୁ ପ୍ରୋତ୍ସାହିତ କରୁଛି କଂଗ୍ରେସ: ଅପରାଜିତା

ଭୁବନେଶ୍ବର( ଏସ୍ ନ୍ଯୁଜ): ଭାରତୀୟ ସମ୍ବିଧାନର ଧାରା ୩୭୦ ଏବଂ ୩୫(କ)କୁ ଗତବର୍ଷ ଅଗଷ୍ଟ ମାସରେ ଉଚ୍ଛେଦ କରାଗଲା । ଏହା ଦ୍ୱାରା ଜାମ୍ମୁ ଓ କାଶ୍ମୀର ଏବଂ ଲଦ୍ଦାଖ ପୃଥକ ଭାବେ କେନ୍ଦ୍ରଶାସିତ ରାଜ୍ୟର ମାନ୍ୟତା ପାଇଲା । ଏହି କେନ୍ଦ୍ରଶାସିତ ରାଜ୍ୟକୁ ପ୍ରଚୁର ପରିମାଣରେ କେନ୍ଦ୍ରୀୟ ଅନୁଦାନ ଓ ସହାୟତା ପ୍ରଦାନ କରାଯାଇ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ କରାଯାଇଛି । ମାତ୍ର ନିଜ ହୀନ ସ୍ୱାର୍ଥ ହାସଲ ପାଇଁ କିଛି ରାଷ୍ଟ୍ରବିରୋଧୀ ରାଜନୈତିକ ଦଳ ଏକାଠି ହୋଇ ଦେଶବିରୋଧୀ ଅଭିମୁଖ୍ୟ ଗ୍ରହଣ କରିବା, ଦେଶବିରୋଧୀ ବକ୍ତବ୍ୟ ଦେବା ଆଦି ଅତ୍ୟନ୍ତ ନିନ୍ଦନୀୟ ଓ ଦୁଃଖଦାୟକ । ଏହି ରାଷ୍ଟ୍ରବିରୋଧୀ ଦଳମାନଙ୍କ ସହ ଭାରତୀୟ କଂଗ୍ରେସ ଦଳ ସାମିଲ ହେବା ଆହୁରି ଅଧିକ ନିନ୍ଦନୀୟ ଏବଂ ଲଜ୍ଜାଜନକ । ସେମାନଙ୍କ ସାମିଲ ହୋଇ ରାଷ୍ଟ୍ରବିରୋଧୀ ଦଳ ସାଜି କଂଗ୍ରେସ ବିଛିନ୍ନତାବାଦୀଙ୍କୁ ପ୍ରୋତ୍ସାହିତ କରୁଛି ବୋଲି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ।

ଶୁକ୍ରବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ଜାମ୍ମୁ ଓ କାଶ୍ମୀରରେ ନ୍ୟାସନାଲ କନଫରେନ୍ସ, ପିଡିପି, ପିପୁଲ୍ସ କନଫରେନ୍ସ, ପିପୁଲ୍ସ ମୁଭମେଂଟ, ମାର୍କ୍ସସବାଦୀ କମୁନିଷ୍ଟ ପାର୍ଟୀ, ପିପୁଲ୍ସ ୟୁନାଇଟେଡ ଫ୍ରନଟ, ପେନ୍ଥର୍ସ ପାର୍ଟୀ ଏବଂ ଜମ୍ମୁ କାଶ୍ମୀର ଆବାମୀ ନ୍ୟାସନାଲ କନଫରେନ୍ସ ଭଳି ୮ଟି ରାଜନୈତିକ ଦଳ ଏକାଠି ହୋଇ ଗତ ଅଗଷ୍ଟ ମାସରେ ଗୁପକର ଗଠବନ୍ଧନ ଗଠନ କରି ଧାରା ୩୭୦ ଏବଂ ୩୫(କ)କୁ ପୁନଃସ୍ଥାପିତ କରିବାର ଘୋଷଣା କରିଥିଲେ ।

ଡିଷ୍ଟ୍‌୍ରକ୍ଟ ଡେଭେଲପମେଂଟ କାଉନସିଲ ନିର୍ବାଚନ ପ୍ରକ୍ରିୟା ଜାମ୍ମୁ ଓକାଶ୍ମୀରରେ ଆରମ୍ଭ ହୋଇଯାଇଛି । କଂଗ୍ରେସ ଦଳ ଗୁପକାର ଗଠବନ୍ଧନ ସହ ମେଂଟ କରି ପ୍ରଥମ ଦୁଇଟି ନିର୍ବାଚନ ପାଇଁ ୩ଟି ପ୍ରାର୍ଥୀ ଦେଇଛି । କଂଗ୍ରେସ ଦଳ ଗୁପକାର ଗଠବନ୍ଧନର ଅଭିନ୍ନ ଅଙ୍ଗ ହୋଇ ରାଷ୍ଟ୍ରବିରୋଧୀ ତତ୍ୱମାନଙ୍କ ସହ ହାତ ମିଳାଇବା ସହ ତାଙ୍କ ହୀନ ଉଦ୍ଦେଶ୍ୟକୁ ସମର୍ଥନ ଜଣାଇଛି । ଦିଲ୍ଲୀରେ ନିଜକୁ ଜାତୀୟ ଦଳ ବୋଲି କହୁଥିବା କଂଗ୍ରେସ ଦଳ ଜାମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରବିରୋଧୀ ଦଳ ସାଜି ବିଛିନ୍ନତାବାଦୀଙ୍କୁ ପ୍ରୋତ୍ସାହିତ କରୁଛି ।

ସେ କହିଛନ୍ତି, କଂଗ୍ରେସ ଦଳ ଆଜି ନିଜ ସ୍ଥିତି ହରାଇ ବସିଛି । ଗୁପକର ଗଠବନ୍ଧନ ସହ ସାମିଲ ହୋଇ କଂଗ୍ରେସ ଦଳ ବର୍ତମାନ ଚୀନ ଏବଂ ପାକିସ୍ଥାନରେ ନିଜ ସ୍ଥିତିକୁ ଜାହିର କରିବାର ପ୍ରୟାସ ଆରମ୍ଭ କରିଦେଇଛି । ଧାରା ୩୭୦ ଏବଂ ୩୫(କ)କୁ ପୁନଃସ୍ଥାପିତ କରିବା ପାଇଁ ଚୀନର ସାହାଯ୍ୟ ନେବୁ ବୋଲି ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା କହୁଥିବା ବେଳେ ଅନ୍ୟପଟେ ଭାରତୀୟ ପତକା ଉଡାଇବାକୁ ଦେବୁ ନାହିଁ ବୋଲି ରାଷ୍ଟ୍ରବିରୋଧୀ ବକ୍ତବ୍ୟ ପିଡିପି ନେତା ମୁଫ୍‌ତି ମହମ୍ମଦ ଖୋଲାଖୋଲି କହିଛନ୍ତି । ଗତକାଲି ଜାମ୍ମୁ ଓ କାଶ୍ମୀରରେ ନିପାତ ହୋଇଥିବା ଆତଙ୍କବାଦୀଙ୍କଠାରୁ ମିଳିଥିବା ଅସ୍ତ୍ରଶସ୍ତ୍ର ଚାଇନା ନିର୍ମିତ ବୋଲି ଲେଖାହୋଇଛି । କଂଗ୍ରେସ ଦଳ ଏହି ଗଠବନ୍ଧନରେ ସାମିଲ ହୋଇ ନିଜକୁ ରାଷ୍ଟ୍ରବିରୋଧୀ ବୋଲି ପ୍ରମାଣିତ କରିସାରିଛି ବୋଲି ଶ୍ରୀମତୀ ଷଡଙ୍ଗୀ ଅଭିଯୋଗ କରିଛନ୍ତି ।

କଂଗ୍ରେସ ଦଳର ବରିଷ୍ଠ ନେତା ପି.ଚିଦାମ୍ବରମ, ଗୁଲାମ ନବୀ ଆଜାଦ ପ୍ରମୁଖଙ୍କ ଭଳି ଦେଶର ସମ୍ବିଧାନ ବିରୁଦ୍ଧରେ ଯାଇ ଧାରା ୩୭୦ ଏବଂ ୩୫(କ)କୁ ପୁନଃସ୍ଥାପିତ କରିବା ପାଇଁ ଘୋଷଣା ପାଇଁ ଆହ୍ୱାନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସର ନାରା ଦେଇ ବିକାଶର କାର୍ଯ୍ୟ କରୁଥିବା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରି ରାଷ୍ଟ୍ରବିରୋଧୀ ତତ୍ୱମାନଙ୍କ ସହ ହାତ ମିଳାଇ କଂଗ୍ରେସ ଦଳ ବିଛିନ୍ନତାବାଦୀଙ୍କୁ ପ୍ରତ୍ୟକ୍ଷ ପ୍ରୋତ୍ସାହିତ କରୁଛି ବୋଲି ଶ୍ରୀମତୀ ଷଡଙ୍ଗୀ ଅଭିଯୋଗ କରିଛନ୍ତି ।