ଯାଜପୁରରୁ ରମାଦେବୀ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

ଯାଜପୁର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ହତ୍ୟାକରି ଯାଜପୁର ଜିଲ୍ଲାରେ ଫିଙ୍ଗି ଦିଆଯାଇଛି। ଆଜି ଏପରି ଅଭିଯୋଗ ଯାଜପୁର ଜିଲ୍ଲାରୁ ଆସିଛି। ଆଜି ସକାଳ ୮ରୁ ସାଡ଼େ ୮ଟା ବେଳେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ମୃତଦେହକୁ ଆଣି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ଯାହା ସିସିଟିଭିରେ କଏଦ ହୋଇଛି। ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କୁଆଖିଆ ପୁଲିସ ଓ ଯାଜପୁରରୋଡ୍‌ ଏସଡିପିଓ ଚିନ୍ମୟ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଝଟଣାର ତଦନ୍ତ ଆରମ୍ଭ କରିଛି।

ମୃତଦେହ ପାଖରେ ପଡ଼ିଥିବା ବ୍ୟାଗରେ ପୂରା ପରିଚୟ ଥିଲା। ଏହା ପରେ ପୁଲିସ ମୃତାଙ୍କ ବାପାଙ୍କ ସହିତ ଯୋଗାଯୋଗ କରିଥିଲା। ତାଙ୍କ ବାପା ଆସିବା ପରେ ଝିଅର ମୃତଦେହ ଚିହ୍ନିଥିଲେ। ଯଶିପୁର ଥାନା ବୃନ୍ଦେଇପୋଷି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ| ସେ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡିଛି
ଗତ ୨୪ ତାରିଖରେ ଝରାଫୁଲ ଭୁବନେଶ୍ୱର ଆସିଥିଲେ। ସେ ତାଙ୍କ ବଡ଼ ଭଉଣୀଙ୍କ ଜନ୍ମଦିନରେ ସାମିଲ ହୋଇଥିଲେ। ତା’ପର ଦିନ ଅର୍ଥାତ ୨୬ ତାରିଖ ସକାଳେ ଝରାଫୁଲ ଘରକୁ ଯାଉଛନ୍ତି ବୋଲି ଫୋନ୍‌ରେ ବାପାଙ୍କୁ କହିଥିଲେ। ମାତ୍ର ସେ ଯାଇନଥିଲେ। ପରେ ରମାକାନ୍ତ ତାଙ୍କ ଝିଅ ଝରାଫୁଲକୁ ଫୋନ୍‌ କରିଥିଲେ। ଫୋନ୍‌ ରିସିଭ୍‌ କରି ଦେହ ଭଲ ନାହିଁ, ସାଙ୍ଗ ଘରେ ରହିଛି ବୋଲି କହିଥିଲେ ଝରାଫୁଲ। ତା’ପରଠାରୁ ଝରାଫୁଲଙ୍କ ମୋବାଇଲ୍‌ ବନ୍ଦ ରହିଥିଲା। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ତେବେ ଏହା ପଛରେ କାହାର ହାତ ରହିଛି, ତାହା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।