ତିନିରଥର ‘ବଡଧରା ପୋଟଳ’ ନିର୍ମାଣ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର,(ଏସ୍ ନ୍ୟୁଜ)ତା,୨୨/୦୬ : ଆଜି ତିନି ରଥରେ ପ୍ରଥମ ଭୁଇଁ ଉପରେ ଦ୍ୱିତୀୟ ଭୁଇଁର ଛକାଠ ସେଟିଙ୍ଗ କରାଯାଇଅଛି । ଏଥିସହ ଆଜି ତିନିରଥର ‘ବଡଧରା ପୋଟଳ’ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଅଛି । ଏହି ପୋଟଳ ୧୩ ପରସ୍ତ ବିଶିଷ୍ଟ ଏହା ରଥର ଶେଷ ଭୁଇଁ ଉପରୁ ନିର୍ମାଣ ହୋଇ ଏହାର ଗଠନଶୈଳୀ ଶ୍ରୀମନ୍ଦିର ଶୀର୍ଷ ଭାଗ ଅଂଶ ପରି ଦୃଶ୍ୟମାନ ହୁଏ । ଏହାର ପ୍ରତିଟି ପରସ୍ତ ଉପରେ ୩/ଅଢେଇ ସାଇଜର ନଦା ବା ବଟନ ଦିଆଯାଇ ତା ଉପରେ ଦ୍ୱିତୀୟ ପୋଟଳ ପଟା ପଡି ପଞ୍ଚମ ପୋଟଳ ପରେ ଷଷ୍ଠ ଏବଂ ସପ୍ତମ ପୋଟଳ ପାରାଭାଡ଼ି ଉଠି ଅଷ୍ଟମରୁ ଦ୍ୱାଦଶ ପରସ୍ତ ପୋଟଳ ପରେ ୧୩ ତମ ପରସ୍ତ ଖପୁରୀ ପାରେଣୀ ବା ଖପୁରୀ ପରେ କଳସ ଉଠି ଏହାପରେ ପିତଳ କଳସ ଲାଗିଥାଏ । ଆଜି ସକାଳ ୮ ଟାରେ ରଥନିର୍ମାଣରେ ସମ୍ପୃକ୍ତ ସେବକ ମାନେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ମାତ୍ର ପୂର୍ବାହ୍ନ ପରେ ପରେ ବର୍ଷା ଯୋଗୁଁ ପାଗ ଖରାପ ହେତୁ ରଥ ନିର୍ମାଣ କାର୍ଯ୍ୟ ବାଧା ପ୍ରାପ୍ତ ହୋଇଅଛି । ଚଳିତ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଆଜି ମୋଟ ୭୮ ମହାରଣା, ୭୬ ଭୋଇ ସେବକ, ୫ କରତି ସେବକ, ଜଣେ ପାହି ମହାରଣା, ୧୬ ଓଝା ବା କମାର ସେବକ, ୨ ତୁମ୍ବ ବିନ୍ଧ କାରୀଗର, ୧୯ ରୂପକାର ସେବକ, ଜଣେ ରଥଖଳା ସହାୟକ ସହିତ ମୋଟ ୧୯୮ଜଣ ନିଯୁକ୍ତ ହୋଇଥିଲେ ।