ଠିକାଦାରଙ୍କ ମୃତ୍ୟୁ ଯୋଗୁଁ ହୋଇ ପାରୁନି ରାସ୍ତା କାମ : ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା

ବାଲେଶ୍ୱର, (ଏସ୍‌ ନ୍ୟୁଜ): ଜଳେଶ୍ୱର ବ୍ଲକର ପଶ୍ଚିମବାର୍ଡ-ଜଳେଶ୍ୱର ରାସ୍ତା ଏକ ପ୍ରମୁଖ ରାସ୍ତା ହୋଇଥିଲେ ମଧ୍ୟ ତାହା ମରଣଯନ୍ତାରେ ପରିଣତ ହୋଇଛି । ଏହି ରାସ୍ତାରେ ଜଳେଶ୍ୱର ବାସୀ ବାଲିଆପାଳ, ବସ୍ତା ଓ ସିଂଲା ଅଂଚଳକୁ ଯାତାୟାତ କରିଥାନ୍ତି ।

ଏହା ବ୍ୟତିତି ଏହି ବ୍ଲକର ବାଇଗଣବାଡିଆ, ଝାଡପିମ୍ପଳ, ପଶ୍ଚିମବାର୍ଡ, ଗୋପୀମୋହନପୁର, ରାୟାଁରାମଚନ୍ଦ୍ରପୁର, ଖୁଲୁଡା, ବର୍ତ୍ତନା, ଆରୁହା ପଂଚାୟତବାସୀଙ୍କ ଲାଇଫଲାଇନ୍‌ କହିଲେ ଅତ୍ୟୁକ୍ତି ହେବନାହିଁ । ଏହିରାସ୍ତା ଦେଇ ଖୁଲୁଡା, ବର୍ତ୍ତନାଠାରେ ଥିବା ୨ଟି ମହାବିଦ୍ୟାଳୟ ଓ ବିଭିନ୍ନ ଗାଁରେ ଥିବା ବିଦ୍ୟାଳୟ ଓ ଚିକିତ୍ସାଳୟକୁ ଲୋକମାନେ ଯାତାୟାତ କରିଥାନ୍ତି । କିନ୍ତୁ ଏହି ରାସ୍ତାର ପଶ୍ଚିମବାର୍ଡ ଠାରୁ ବର୍ତ୍ତନା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅବର୍ଣ୍ଣନୀୟ । ଗତ ୬ବର୍ଷ ମଧ୍ୟରେ ଏହି ୧୫ କି.ମି ରାସ୍ତାରୁ ପ୍ରଥମ ୩ କି.ମି ଲାଗି ୫ କୋଟି ଏବଂ ୨ୟ ପର୍ଯ୍ୟାୟରେ ଅନ୍ୟ ୫ କି.ମି. ଲାଗି ୬ କୋଟି ଟଙ୍କା ବ୍ୟୟ ହୋଇ ରାସ୍ତା ନବିକରଣ ହୋଇଛି । ଶେଷ ୬ କି.ମି. ରାସ୍ତା ଗାଢ, ଖାତଖମାରେ ପୂର୍ଣ୍ଣ । ବଡବଡ ଗର୍ତ୍ତ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଆସୁଛି । ପରିସ୍ଥିତିକୁ ଲକ୍ଷ୍ୟକରି ବିଧାୟକଙ୍କ ପ୍ରଚେଷ୍ଟାରେ ୧୦ କୋଟି ଟଙ୍କାର ଏକ ଟେଣ୍ଡର ଶେଷ ହୋଇଥିଲା । କିନ୍ତୁ ଠିକାଦାରଙ୍କ ହଠାତ୍‌ ମୃତ୍ୟୁ ହେବାରୁ ରାସ୍ତା ନବିକରଣ କାର୍ଯ୍ୟ ହୋଇ ପାରିନାହିଁ । ଏବେ ଏଥିନେଇ ଆଇନ୍‌ଗତ ସମସ୍ୟା ସୃଷ୍ଟି ହୋଇଥିବାରୁ ପୁର୍ତ୍ତବିଭାଗ ଅତିଶୀଘ୍ର ମରାମତୀ ଓ ନବିକରଣ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ଦାବି ହେଉଛି ।