ଗଡ଼ିଲା ବସ୍‌ ଖୋଲିଲା ପାର୍ଲର, ସ୍ପା, ଜିମ୍‌

ଭୁବନେଶ୍ୱର,(ଏସ୍ ନ୍ୟୁଜ): କରୋନା ସଂକ୍ରମଣ କମିବା ପରେ ସରକାରଙ୍କ ନୂଆ ଗାଇଡଲାଇନ୍ ଅନୁଯାୟୀ ଆଜିଠୁ ସାରା ରାଜ୍ୟରେ ବସ୍ ଚଳାଚଳ ଆରମ୍ଭ ହୋଇଛି । ତେବେ ବସ୍‌ରେ ସିଟ୍ ଯେତିକି ଥିବା ସେତିକି ଯାତ୍ରୀ ହିଁ ଯାଇପାରିବେ ବୋଲି ସରକାର ଗାଇଡଲାଇନ୍‌ କହିଛନ୍ତି ।ଅନ୍ୟପଟେ ରଥଯାତ୍ରା ଚାଲିଥିବାରୁ ଆସନ୍ତା ୨୫ ଯାଏ ପୁରୀ ସହରକୁ ବସ୍ ଚଳାଚଳ ବନ୍ଦ ରହିବ । ନୀଳାଦ୍ରି ବିଜେ ଅର୍ଥାତ୍ ୨୩ ଜୁଲାଇ ଯାଏଁ ପୁରୀକୁ ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ରହିଛି ।

ସେହିପରି ସାରା ରାଜ୍ୟରେ ଆଜିଠୁ ବିୟୁଟି ପାର୍ଲର, ସ୍ପା, ଜିମ୍ ଓ ସେଲୁନ୍ ଖୋଲିଛି । ଗାଇଡଲାଇନ୍‌ରେ ଇନଡୋର୍ ଓ ଆଉଟଡୋର୍ ଫିଲ୍ମ-ସିରିଏଲ୍ ସୁଟିଂକୁ ଅନୁମତି ଦିଆଯାଇଛି । ଆଉଟଡୋର୍ ସ୍ପୋର୍ଟସ୍‌କୁ ବି ଅନୁମତି ମିଳିଛି ।

ତେବେ କାଟେଗୋରି Aରେ ଥିବା ୨୦ ଜିଲ୍ଲାରେ ରାତି ୮ଟା ଯାଏ ଦୋକାନ ବଜାର ଖୋଲିବ । ସେହିପରି କାଟେଗୋରୀ B ରେ ଥିବା ୧୦ ଜିଲ୍ଲାରେ ସଂଧ୍ୟା ୫ଟା ଦୋକାନବଜାର ଖୋଲିବାକୁ ଅନୁମତି ମିଳିଛି । ତେବେ ସାରା ରାଜ୍ୟରେ ପୂର୍ବ ଭଳି ପାର୍କ, ସୁଇମିଂ ପୁଲ୍, ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା ବନ୍ଦ ରହିବ । ଅଗଷ୍ଟ ୧ ଯାଏ ଏହି ଗାଇଡ ଲାଇନ୍ ଜାରି ରହିବ।

ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ଯୋଗୁ ମେ’ ମାସରୁ ଲକ୍‌ଡାଉନ୍‌ କଟକଣା ଲାଗୁ ହେବା ପରଠୁ ବସ୍‌ ଚଳାଚଳ ବନ୍ଦ ଥିଲା। ଏଥିସହ ବିୟୁଟି ପାର୍ଲର, ସ୍ପା, ଜିମ୍ ଓ ସେଲୁନ୍‌କୁ ମଧ୍ୟ ବନ୍ଦ କରାଯାଇଥିଲା।