ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ମସ୍ତିଷ୍କ ନିସ୍ତେଜ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ମସ୍ତିଷ୍କ ଏକପ୍ରକାର ଅକାମୀ ହୋଇଯାଇଛି । ମସ୍ତିଷ୍କର ସ୍ନାୟୁଗୁଡ଼ିକ ନିସ୍ତେଜ ହୋଇଯିବା କାରଣରୁ ତାଙ୍କର କ୍ରିୟା ଓ ପ୍ରତିକ୍ରିୟା ବନ୍ଦ ହୋଇଯାଇଛି । ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିନାହାନ୍ତି ମାତ୍ର ବ୍ରେନ୍‌ ଡେଡ୍‌ ଘୋଷଣା କରିଛନ୍ତି । ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ କୌଣସି ବାଟ ଦେଖାଯାଉନି । ନା’ ସେ ବାପାଙ୍କ ଅଙ୍ଗଗୁଡ଼ିକୁ ଦାନ କରିବା ପାଇଁ ନିଷ୍ପତି ନେଇପାରୁଛନ୍ତି ନା ବାପାଙ୍କ ଅନ୍ତ୍ୟେଷ୍ଟି ପାଇଁ ଆଗକୁ ପାଦ ବଢ଼ାଇ ପାରୁଛନ୍ତି ।

କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଦାମୋଦରଙ୍କୁ ସିପିଆର ଦିଆଗଲାନି ବୋଲି ତାଙ୍କ ପୁଅ ସମ୍ବିତ ଅଭିଯୋଗ କରିଥିଲେ । ମାତ୍ର ଘରୋଇ ହସ୍ପିଟାଲରେ ତାଙ୍କ ସିପିଆର ଦିଆଯାଇଥିଲେ ମଧ୍ୟ ତାହା କାମ କରି ନଥିଲା ।

ମାର୍ଚ୍ଚ ୧୮ ତାରିଖରେ ୮୧ ବର୍ଷୀୟ ଦାମୋଦର ରାଉତ ହୃଦଘାତର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନିଆ ଯାଇଥିଲା । ତାଙ୍କର କିଡ୍‌ନୀ କାମ କରୁ ନଥିବାର ଡାକ୍ତରମାନେ ଲକ୍ଷ୍ୟ କରିଥିଲେ । କ୍ୟାପିଟାଲ ହସ୍ପିଟାଲରେ କିଡ୍‌ନୀ ସ୍ପେଶାଲିଷ୍ଟ ନଥିବାରୁ ତାଙ୍କୁ କିମ୍‌ସ ସ୍ଥାନାନ୍ତର କରାଯାଇଥିଲା ।

କ୍ୟାପିଟାଲ ହସ୍ପିଟାଲରୁ କିମ୍‌ସ ନିଆଯିବା ବାଟରେ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ହାତମୁଠାରୁ ଚାଲିଗଲା ବୋଲି ସମ୍ବିତ ରାଉତରାୟ ଅଭିଯୋଗ କରିଛନ୍ତି ।