ଭୁବନେଶ୍ବର(ସାକ୍ସୀ ନ୍ୟୁଜ୍): ଜଳ ସମ୍ପଦ କ୍ଷେତ୍ରରେ ଚାଲୁଥିବା ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବଜେଟର ଫଳପ୍ରଦ ବିନିଯୋଗ ଓ ପ୍ରକଳ୍ପଗୁଡ଼ିକର ସମୟବଦ୍ଧ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇ ଜଳ ସମ୍ପଦ ବିଭାଗର ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟାନ୍ୱୟନରେ ଥିବା, ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଥିବା ଏବଂ ପ୍ରସ୍ତାବିତ କାର୍ଯ୍ୟ ସମେତ ପୁଞ୍ଜି ବ୍ୟୟ, ପ୍ରମୁଖ ଜଳସେଚନ, ନିଷ୍କାସନ, ଡ୍ୟାମ୍, ବ୍ୟାରେଜ୍ ଓ କେନାଲ ପ୍ରକଳ୍ପର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ସହ ବ୍ୟୟର ନିୟମିତ ନିରୀକ୍ଷଣ କରିବାକୁ ନିୟନ୍ତ୍ରଣକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଟେଣ୍ଡର ଚୂଡ଼ାନ୍ତକରଣ ଓ କାର୍ଯ୍ୟାଦେଶ ପ୍ରଦାନ, ବିଚାରାଧୀନ ଅନୁମୋଦନ ଓ ଇଏଫସି ପ୍ରସ୍ତାବର ଶୀଘ୍ର ନିଷ୍ପତ୍ତି, ବାସ୍ତବସମ୍ମତ ବ୍ୟୟ ଆକଳନ ଏବଂ ଆର୍ଥିକ ବର୍ଷ ମଧ୍ୟରେ ବଜେଟର ପ୍ରଭାବଶାଳୀ ବିନିଯୋଗ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ବିଭାଗୀୟ ବ୍ୟୟ କେବଳ ଆର୍ଥିକ ଲକ୍ଷ୍ୟ ପୂରଣରେ ସୀମିତ ନରହି ଫଳାଫଳମୁଖୀ ହେବା ଆବଶ୍ୟକ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଚାଲୁ ପ୍ରକଳ୍ପଗୁଡ଼ିକର ସମୟୋଚିତ ସମାପ୍ତି, ଜଳସେଚନ ସମ୍ଭାବନା ସୃଷ୍ଟି, ଜଳ ସମ୍ପଦ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ପ୍ରକଳ୍ପର ଉଦ୍ଦିଷ୍ଟ ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରାଥମିକତା ଦେବାକୁ କୁହାଯାଇଥିଲା। ଉପଲବ୍ଧ ଆର୍ଥିକ ସମ୍ବଳର ସର୍ବୋତ୍ତମ ଓ ଉତ୍ପାଦନଶୀଳ ବିନିଯୋଗ ପାଇଁ ସମନ୍ୱିତ ପ୍ରୟାସ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା।ବୈଠକରେ ପିଏମ୍ ଗତି ଶକ୍ତି ପୋର୍ଟାଲ ଉପରେ ଏକ ଉପସ୍ଥାପନା ଦିଆଯାଇଥିଲା ।
ଏହାପରେ ଜଳକର ଆଦାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ବମିଷ ପୋର୍ଟାଲର ଉନ୍ନତି ସମ୍ପର୍କରେ ଆଲୋଚନା ହୋଇଥିଲା। ପିଏମ୍ ଗତି ଶକ୍ତି ପ୍ଲାଟଫର୍ମର ପ୍ରଭାବଶାଳୀ ବ୍ୟବହାର, ଜଳକର ଆଦାୟ ବୃଦ୍ଧି ଏବଂ ବମିଷ ପୋର୍ଟାଲର ଅଧିକ ଉନ୍ନତି ମାଧ୍ୟମରେ ବିଭାଗୀୟ କାର୍ଯ୍ୟର ଉତ୍ତମ ନିରୀକ୍ଷଣ ଓ ପରିଚାଳନା ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା। ଏଥିସହ ଜାତୀୟ ଜଳ ପୁରସ୍କାର ପାଇଁ ଓଡ଼ିଶାର ନାମାଙ୍କନ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।ଏହି ବୈଠକରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଦିଲୀପ କୁମାର ରାଉତ, ପୁନଃସ୍ଥାପନ ଏବଂ ପୁନର୍ବାସ ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ବେହେରାଙ୍କ ସମସ୍ତ ବରିଷ୍ଠ ଅଧିକାରୀ ,ମୁଖ୍ୟ ଯନ୍ତ୍ରୀ ବୃନ୍ଦ, ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।