କେହି ଶୁଣିଲେନି ନିଜ ବ୍ୟବସ୍ଥାରେ ପାଣି ନିଷ୍କାସନ କଲେ ଗ୍ରାମବାସୀ

ଲଗାଣ ବର୍ଷା ଯୋଗୁଁ ଘର ମାନଙ୍କରେ ମଧ୍ୟ ଆଣ୍ଠୁଏ ପାଣି ଲହଡି ଭାଙ୍ଗୁଥିଲା…

ବାରିପଦା(ସାକ୍‌ସୀ ନ୍ୟୁଜ୍‌): ଶୁକୃଳି ବ୍ଲକ ଯାମୁନ୍ତି ପଞ୍ଚାୟତ ଯାମୁନ୍ତିରେ ଲଗାଣ ବର୍ଷା ପ୍ରଭାତରେ ମୃଗରାଜ ମହାନ୍ତ, ପ୍ରଭାକର ମହାନ୍ତ, ମୁନସିରାମ ମହାନ୍ତ, ହରି ମହାନ୍ତ, ଦୁବରାଜ ମହାନ୍ତ, ସ୍ୱର୍ଗତ ଶଙ୍କର୍ଷଣ ମହାନ୍ତ, ସ୍ବର୍ଗତ ଚୈତନ ମହାନ୍ତ ଏମିତି ଛଅ ରୁ ସାତ ପରିବାର ଦୟନୀୟ ଅବସ୍ଥାରେ ରହୁଥିଲେ । ଏମିତିକି ଲଗାଣ ବର୍ଷା ଯୋଗୁଁ ଘର ମାନଙ୍କରେ ମଧ୍ୟ ଆଣ୍ଠୁଏ ପାଣି ଲହଡି ଭାଙ୍ଗୁଥିଲା । ସ୍ଥାନୀୟ ସରପଞ୍ଚ,ୱାର୍ଡ ମେମ୍ବର ସମେତ ଶୁକୃଳି ବ୍ଲକ ଅଧିକାରୀ, ତହସିଲ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କେହି ଶୁଣିଲେ ନାହିଁ ।

ରିଲିଫ ଦେବା ତ ଦୂରର କଥା କେମିତି ଅଛନ୍ତି ଲୋକେ କେହି ଅନାଇବାକୁ ବି ଗଲେ ନାହିଁ । କିନ୍ତୁ ରାଜ୍ୟରେ ଶାସନ କ୍ଷମତାରେ ଲୋକଙ୍କ ସରକାର ବୋଲି ଖୋଦ ମାନ୍ୟବର ମୁଖ୍ୟମନ୍ତ୍ରୀ ବାରମ୍ବାର ଦୋହରାଉ ଥିବା ସତ୍ତ୍ୱେ ଅସହାୟ ଲୋକଙ୍କ କଥା ବୁଝିଲାନି ପ୍ରଶାସନ ଫଳରେ ଦୟନୀୟ ଅବସ୍ଥାରେ ରହୁଥିବା ସମ୍ପୃକ୍ତ ପରିବାର ଉପାୟ ନ ପାଇ ଗ୍ରାମରେ କିଛି ଯୁବକଙ୍କ ସହଯୋଗରେ ନିଜ ଖର୍ଚ୍ଚରେ ଜେସିବି ସାହାଯ୍ୟରେ ରାସ୍ତା ଖୋଳି ପାଣି ନିଷ୍କାସନ କରିଥିବା ଦେଖିବାକୁ ମିଳିଛି ।

ପାଣି ନିଷ୍କାସନ ପାଇଁ ଥିବା କଲଭର୍ଟ ସମୟକ୍ରମେ ମାଟିରେ ପୋତି ହୋଇଯାଇଥିଲା ଏବଂ ଗ୍ରାମର ଦୁଇ ପାର୍ଶରେ ଥିବା ରାସ୍ତା ଉଚ୍ଚତା ଅଧିକ ଏବଂ କିଛି ନ୍ୟସ୍ତସ୍ଵାର୍ଥ୍ୟ, ନୀଚମନା, ହୃଦୟବିହୀନ ବିବେକଶୁନ୍ୟ ବ୍ୟକ୍ତିଙ୍କ ଯୋଗୁଁ ସମସ୍ୟା ଉପୁଜୁ ଥିବା ନେଇ ଆଲୋଚନା ହେଉଥିବା ଦେଖିବାକୁ ମିଳିଥିଲା । ତେଵେ ସ୍ଥାନୀୟ ପ୍ରଶାସନ ଏବଂ ବିଧାୟକ ହସ୍ତକ୍ଷେପ କରି ଏ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।