ଲଭ୍‌, ସେକ୍ସ, ଧୋକାରେ ଫସିଛି ଶ୍ୱେତାଙ୍କ ମୃତ୍ୟୁ

ପୁଲିସର ଉଦାସୀନତାକୁ ଦାୟୀ କଲେ ଜନତା

ଭୁବନେଶ୍ୱର: ପ୍ରେମ ମାନେନାହିଁ ବାଧା ବନ୍ଧନ । ସଫ୍ଟୱେର ଇଞ୍ଜିନିୟର ଝିଅକୁ ଖୁଲମ୍‌ ଖୁଲା ଛାଡ଼ିବାର ପରିଣାମ ଏବେ ତାଙ୍କ ପରିବାରକୁ ଭୋଗିବାକୁ ପଡ଼ିଛି । ଶ୍ୱେତାଙ୍କୁ ନ୍ୟାୟ ଦେବାକୁ ଯାଇ ତାଙ୍କ ମା’ ସୋସିଆଲ ମିଡିଆରେ ସରକାରଙ୍କୁ ନିବେଦନ କରିଛନ୍ତି । କିଛି ଭିଡିଓ ଫଟୋକୁ ନେଇ ଶ୍ୱେତା ଓ ତାଙ୍କ ପୁରୁଷବନ୍ଧୁଙ୍କ ମଧ୍ୟରେ ବିବାଦର ସୂତ୍ରପାତ ଘଟିଥିଲା । ସୌମ୍ୟଜିତଙ୍କ ବିରୋଧରେ ଦଫା ୩୦୬ ଲଗାଯାଇଛି । କୁହାଯାଉଛି, ସୌମ୍ୟଜିତ ଶ୍ୱେତାଙ୍କୁ ବ୍ଲାକମେଲିଂ କରୁଥିଲେ । ଦୁହିଁଙ୍କ ଭିତରେ ଏତେ ଭଲ ପାଇବା ଥିଲା; ତା’ ଭିତରେ ପୁଣି ବ୍ଲାକ୍‌ମେଲିଂ କଥା ଉଠିଲା କେମିତି? ଏମିତି ବହୁ ଜଟିଳ ପ୍ରଶ୍ନର ଏକମାତ୍ର ସମାଧାନ-ପୁଲିସର ନିରପେକ୍ଷ ତଦନ୍ତ ।

ଶ୍ୱେତାଙ୍କ ପରିବାର ଲୋକ ଅଭିଯୋଗ କରୁଛନ୍ତି ଯେ ସୌମ୍ୟଜିତ ଓ ତାଙ୍କ ପରିବାର ଚନ୍ଦ୍ରଶେଖରପୁର ଥାନାକୁ ଯାଇଥିବାର ସେମାନେ ଦେଖିଛନ୍ତି, ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନକରି ଛାଡ଼ିଦେଇଛି । ଏବେ ମିଛଟାରେ ଭିନ୍ନ କଥା କହୁଛି । ଶ୍ୱେତାଙ୍କର କିଛି ଅନ୍ତରଙ୍ଗ ମୁହୂର୍ତର ଫଟୋ ସୌମ୍ୟଜିତଙ୍କ ପାଖରେ ରହିଛି ଯାହା ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଛି । କେଉଁ କଥାକୁ ଆଳ କରି ସୌମ୍ୟଜିତ ଶ୍ୱେତାଙ୍କୁ ବ୍ଲାକମେଲିଂ କରୁଥିଲେ; ତାହା କେବଳ ସୌମ୍ୟଜିତ୍‌ କହିପାରିବେ ।
ସୌମ୍ୟଜିତଙ୍କ ପରିବାର ଯୌତୁକ ବାବଦକୁ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ । ଭଲ ପାଇବା ଭିତରେ ପୁଣି ଯୌତୁକ ଦାବି । କଥାଟା ଟିକେ ଅଡୁଆ ଲାଗୁଛି । ଦୁହେଁ ଗୋଟିଏ କମ୍ପାନୀରେ କାମ କରୁଥିଲେ । ପରେ ସୌମ୍ୟଜିତ ଚାକିରି ଛାଡ଼ିଦେଇ ଏମ୍‌ବିଏ ପଢ଼ିବାକୁ ଚିନ୍ତା କଲେ ।

ଶ୍ୱେତାଙ୍କ ଭାଇ କହିଛନ୍ତି ଯେ ତାଙ୍କ ଭଉଣୀ ଶ୍ୱେତା ସୌମ୍ୟଜିତଙ୍କୁ ପ୍ରେମ କରୁ ନଥିଲେ । ମାତ୍ର ସୌମ୍ୟଙ୍କ ଏକତରଫା ପ୍ରେମକୁ ସ୍ୱୀକାର କରିଥିଲେ ଶ୍ୱେତା । ଦୁହିଁଙ୍କ ପ୍ରେମ କ୍ରମେ ବିବାହରେ ସରିଥାନ୍ତା; ମାତ୍ର ଦଇବ ଆଉ କିଛି ଚିନ୍ତା କରିଥିଲା । ଝିଅକୁ ଶାରୀରିକ, ମାନସିକ ନିର୍ଯାତନା ଓ ଆର୍ଥିକ ଶୋଷଣ କରାଯାଉଥିବା କହିଛନ୍ତି ମୃତ ଶ୍ୱେତାଙ୍କ ପରିବାର । ଇତିମଧ୍ୟରେ ଦୁହିଁଙ୍କ ଫୋନ୍‌ ବାର୍ତାଳାପ ଭାଇରାଲ୍‌ ହୋଇଛି । ଆତ୍ମହତ୍ୟା ପୂର୍ବରୁ ଶ୍ୱେତା ପ୍ରାୟ ୧୫ ଥର କଲ୍‌ କରିଥିଲେ ସୌମ୍ୟଜିତଙ୍କୁ । କିନ୍ତୁ ପ୍ରତିଥର ସୌମ୍ୟଜିତ ଫୋନ୍‌ କଲ କାଟି ଦେଇଛନ୍ତି । କେଉଁ କାରଣରୁ ସୌମ୍ୟଜିତ ଶ୍ୱେତାଙ୍କ ଫୋନ୍‌କୁ ରିସିଭ୍‌ କରି ନଥିଲେ । ପୁଲିସର ତଦନ୍ତକୁ ସାଧାରଣ ଲୋକେ ନାପସନ୍ଦ କରିଛନ୍ତି ।